ପୁଣି ଥରେ ବିବାଦରେ ଭାରତୀୟ ରେଳବାଇ : ଟ୍ରେନର ଶୌଚାଳୟରେ ପାଣି ବୋତଲ ରଖି ଯାତ୍ରୀମାନଙ୍କୁ କରୁଥିଲେ ବିକ୍ରି, ୧ ଲକ୍ଷ ଟଙ୍କାର ଜରିମାନା ବସାଇଲା ରେଳବାଇ

30

ବିବାଦ ଭାରତୀୟ ରେଳବାଇର ପିଛା ଛାଡୁ ନାହିଁ । କିଛିଦିନ ତଳେ ଖବର ଆସିଥିଲା ଯେ ଜଣେ ଭେଣ୍ଡର ଟ୍ରେନର ଶୌଚାଳୟରୁ ପାଣି ନେଇ ଚା, କଫି ପ୍ରସ୍ତୁତ କରୁଛନ୍ତି । ଏହା ସୋସିଆଲ ମି଼ଡିଆରେ ଭାଇରାଲ ହେବା ପରେ ରେଳବାଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ସଂପୃକ୍ତ କଣ୍ଟ୍ରାକ୍ଟରକୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । କିନ୍ତୁ ଏବେ ପୁଣି ଏକ ସେହିଭଳି ଘଟଣା ସାମନାକୁ ଆସିଛି । ମୁମ୍ବାଇରୁ ନିଜାମୁଦ୍ଦିନ ଯାଉଥିବା ଗରିବ ରଥ ଟ୍ରେନର ଶୌଚାଳୟରେ ପାଣି ବୋତଲ ରଖାଯାଉଥିବା ଭିଡିଓ ଆସିଛି । ଏହି ଭିଡିଓରେ ଦେଖାଯାଇଛି ଯେ କ୍ୟାଟରିଂ କର୍ମଚାରୀ ଟ୍ରେନରେ ଶାରୀରିକ ଅକ୍ଷମଙ୍କ ପାଇଁ ଥିବା ଶୌଚାଳୟରେ ପାଣିବୋତଲ ଓ ଥଣ୍ଡାପାନୀୟ ରଖୁଛନ୍ତି ଓ ତାହାକୁ ନେଇ ଟ୍ରେନରେ ଯାତ୍ରୀମାନଙ୍କୁ ବିକ୍ରି କରୁଛନ୍ତି ।

ତଦନ୍ତରୁ ଜଣାପଡିଛି ଯେ ଏହି ଭିଡିଓଟି ଗତ ଏପ୍ରିଲ ୨୫ ତାରିଖର । ଏହି ଭିଡିଓ ଭାଇରାଲ ହେବା ପରେ ରେଳବାଇ ପକ୍ଷରୁ ସଂପୃକ୍ତ କଣ୍ଟ୍ରାକ୍ଟରକୁ ୧ ଲକ୍ଷ ଟଙ୍କାର ଜରିମାନା ବସାଯାଇଛି । କେବଳ ଜରିମାନା ନୁହେଁ ଏହି କଣ୍ଟ୍ରାକ୍ଟରକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଯେ ତାଙ୍କର କଣ୍ଟ୍ରାକ୍ଟ କାହିଁକି ବାତିଲ କରାଯିବ ନାହିଁ । ଏହା ସହିତ ରେଳବାଇ ପକ୍ଷରୁ ଏକ ଟିମ ଗଠନ କରାଯାଇ ଏ ଦିଗରେ ଅଧିକ ତଦନ୍ତ ପାଇଁ କୁହାଯାଇଛି ।