ବ୍ରହ୍ମପୁରରେ ଅଚଳ ୱାଟର ଏଟିଏମ୍ । ନିର୍ମାଣର ମାସ କେଇଟା ପରେ ବ୍ରହ୍ମପୁରରେ ଭାଙ୍ଗିଗଲାଣି ୱାଟର ଏଟିଏମ୍, ସହରରେ ପାଣି ମୁନ୍ଦେ ପାଇଁ ଡହଳବିକଳ ଯାତ୍ରୀ ।

140

କନକ ବ୍ୟୁରୋ : ଜଳ ହିଁ ଜୀବନ । ଖରା ଦିନେ ତ ଲୋକଙ୍କ ପାଇଁ ପାଦେ ପାଦେ ପାଣିର ଆବଶ୍ୟକତା ରହିଛି । ଗାଁ ତ ଗାଁ ଏବେ ସହରରେ ମଧ୍ୟ ଲୋକଙ୍କୁ ମିଳୁନି ପାଣି ବୁନ୍ଦେ । ଏପଟେ ସହରରେ ଥିବା ୱାଟର ଏଟିଏମ ଅଚଳ । କିଛି ବର୍ଷ ପୂର୍ବରୁ ବ୍ରହ୍ମପୁର ସହରରେ ନିର୍ମାଣ ହୋଇଥିବା ୱାଟର ଏଟିଏମ୍ ଏବେ ଖତ ଖାଉଛି ।

ଦକ୍ଷିଣ ଓଡିଶାର ବ୍ୟବସାୟୀକ ପେଣ୍ଠସ୍ଥଳୀ ଗଂଜାମ ଜିଲ୍ଲାର ବ୍ରହ୍ମପୁର । ଏମକେସିଜି ଭଳି ବଡ ଡାକ୍ତରକାନା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରହିଛି । ତେଣୁ ବ୍ୟବସାୟ ହେଉ ବା ଶିକ୍ଷା, ସ୍ୱାସ୍ଥ୍ୟସେବା ପାଇଁ ପ୍ରତିଦିନ ୧ ଲକ୍ଷ ଲୋକଙ୍କ ଭିଡ ହୁଏ ବ୍ରହ୍ମପୁର ସହରରେ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଜନଗହଳିପୂର୍ଣ୍ଣ ସ୍ଥାନରେ ବିଏମସି ପକ୍ଷରୁ ୱାଟର ଏଟିଏମ୍ ନିର୍ମାଣ ହୋଇଛି । ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ, ଅର୍ଣ୍ଣପୂର୍ଣ୍ଣା ମାର୍କେଟ ଓ ଷ୍ଟେସନରେ ୱାଟର ଏଟିଏମ ସେବା ଆରମ୍ଭ ହୋଇଛି । ହେଲେ ଏବେ ଏସବୁ ଅଚଳ ।

ମାସ କେଇଟା ଚାଲିବା ପରେ ଖତ ଖାଉଛି ୱାଟର ଏଟିଏମ୍ । ସବୁଠାରୁ ବଡ଼ କଥା ଏସବୁ ୱାଟର ଏଟିଏମ ପାଖରେ ସରକାରଙ୍କ ଆହାର କେନ୍ଦ୍ର ରହିଛି । ସହରକୁ ଆସିଥିବା ଅସହାୟ ବ୍ୟକ୍ତି ୫ ଟଙ୍କାରେ ଆହାର ଖାଇବା ପରେ ପାଣି ପାଇଁ ୱାଟର ଏଟିଏମ୍ ପାଖକୁ ଯାଉଛନ୍ତି, କିନ୍ତୁ ପାଣି ମୁନ୍ଦେ ନମିଳିବାରୁ ନିରାସ ହୋଇ ଫେରୁଛନ୍ତି । ଏସମ୍ପର୍କରେ ବିଏମସି କମିଶନର କହିଛନ୍ତି ଏସବୁ ୱାଟର ଏଟିଏମକୁ ପୁନଃର୍ବାର ଥଇଥାନ କରିବା ସହ ଏହାର ଦାୟିତ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯିବ ।