ସରକାରଙ୍କ କଥା ମାନି ଭିଟାମାଟିରୁ ସ୍ଥାନାନ୍ତରିତ ହୋଇଥିଲେ ଲୋକେ । ହେଲେ ଏବେ ମିଳୁନି ପିଇବା ପାଣି । ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତରୁ ଆସିଲା ଏଭଳି ଖବର..

141

କନକ ବ୍ୟୁରୋ: ବନ୍ୟା-ବାତ୍ୟା ପ୍ରକୋପରୁ ରକ୍ଷା କରିବା ପାଇଁ ଭିଟାମାଟିରୁ ସ୍ଥାନାନ୍ତର କରାଗଲା । ଲୋକେ ବି ସରକାରଙ୍କ କଥା ମାନି ଭିଟାମାଟି ଛାଡିଲେ । ହେଲେ ଯେଉଁଠି ଥଇଥାନ କରାଗଲା, ସେଠାରେ ପିଇବା ପାଣି ଓ ରାସ୍ତାଘାଟର ସମସ୍ୟା ପୁଣି ଭିଟାମାଟିରୁ ଫେରି ଯିବା ପାଇଁ ବାଧ୍ୟ କରୁଛି । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତ ବାରଘର ଅଂଚଳରୁ ଆସିଛି ଏଭଳି ଖବର ।

୨୦୧୮ ବାତ୍ୟା ତିତିଲି କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯାଇଥିଲା । ହେଲେ ଏବେ ସେଠାରେ ରାସ୍ତା ଓ ପିଇବା ପାଣିର ସମସ୍ୟା ମୁଣ୍ଡ ଟେକିବାରୁ, ଲୋକେ ପୁଣି ଥରେ ଭିଟାମାଟିକୁ ଫେରି ଯିବା ପାଇଁ ମନସ୍ଥ କରିଛନ୍ତି । ଯାହା ପ୍ରଶାସନିକ ବାବୁଙ୍କ ନିଦ ହଜେଇ ଦେଇଛି ।

ଲୋକେ ନିଜ ପୁରୁଣା ସ୍ଥାନକୁ ଫେରି ଯିବା ପାଇଁ ସଜବାଜ ହେଉଥିବା ଖବର ପାଇ ପ୍ରଶାସନର ଏକ ଟିମ୍ ବାରଘର ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଗାଁରେ ଆଉ ଗୋଟିଏ ବଡ ବୋର ୱେଲ ଖୋଳାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ । ସେପଟେ ଆସନ୍ତା ୩ ତାରିଖରେ ଗ୍ରାମବାସୀଙ୍କ ସହ ପ୍ରଶାସନର ଆଉ ଏକ ବୈଠକ ବସିବ । ମୌଳିକ ସମସ୍ୟାର ସମାଧାନ ହେଲେ ଆଉ ପାହାଡ ଶିଖରକୁ ଯିବାର ଆବଶ୍ୟକତା ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।