ରିଲିଫ ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିଛନ୍ତି ବାତ୍ୟା ବିପନ୍ନ । ହେଲେବି ମିଳିନାହିଁ ରିଲିଫ, ସରକାରଙ୍କୁ ଦୋଷ ଦେଲେ ଲୋକ

ବାତ୍ୟା ଫୋନି ଚାଲିଯାଇଛି ହେଲେ ଉଜାଡି ଦେଇଛି ସାଧାରଣ ଲୋକଙ୍କ ଜୀବନ ଜୀବିକା

72

କନକ ବ୍ୟୁରୋ : ବାତ୍ୟା ଫୋନି ଚାଲିଯାଇଛି ହେଲେ ଉଜାଡି ଦେଇଛି ସାଧାରଣ ଲୋକଙ୍କ ଜୀବନ ଜୀବିକା । ଉଜୁଡି ଯାଇଛି ବେଉସା । ବିଶେଷ କରି ଛୋଟ ଛୋଟ ଦୋକାନି, ବସ୍ତିବାସିନ୍ଦା ଓ ଚାଳ ଛପର ଓ ଆଜବେଷ୍ଟସ ଘରେ ରହୁଥିବା ଲୋକମାନେ ବେସାହାରା ହୋଇ ଯାଇଛନ୍ତି । ଘରର ଛପର ଉଡିଯାଇଥିବାରୁ ବିଭିନ୍ନ ସ୍ଥାନରେ ପଲିଥିନ୍ ତଳେ ରହୁଛନ୍ତି ଲୋକ  । ଏହା ସହିତ ବିଦ୍ୟୁତ ସରବରାହ ବନ୍ଦ ଥିବାରୁ ବାଧାପ୍ରାପ୍ତ ହୋଇଛି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ତେଣୁ ପିଇବା ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି ବାତ୍ୟା ପ୍ରଭାବିତ । ସେପଟେ ପ୍ରଭାବିତଙ୍କୁ ରିଲିଫ ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି ସରକାର ।

ଏହି ସହାୟତା ପାଇବା ପାଇଁ ବିଭିନ୍ନ ରିଲିଫ କ୍ୟାମ୍ପରେ ଲୋକମାନେ ଏବେ ଧାଡି ଲଗାଇଛନ୍ତି ।  ତେବେ ବାତ୍ୟା ଫୋନି ଯୋଗୁ ପ୍ରଭାବିତ ହୋଇଥିବା ସାଲିଆ ସାହି ବସ୍ତିର ଲୋକମାନେ ବିଜୁ ପଟ୍ଟନାୟକ କଲେଜ କ୍ୟାମ୍ପସରେ ଭିଡ ଜମାଇଛନ୍ତି । ସେଠାରୁ ପିଇବା ପାଣି ଟିକେ ପାଇବା ପାଇଁ କାହିଁ କେତେ ସମୟ ଅପେକ୍ଷା କରି ରହିଛନ୍ତି ତାହାର କୌଣସି ସୀମା ନାହଁ । ଖାଇବା ପାଇଁ ମଧ୍ୟ କିଛି ମିଳୁନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

 

କେବଳ ଏତିକି ନୁହେଁ ବରଂ ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ଆମ ମାନଙ୍କ ଘର ଭାଙ୍ଗିଯାଇଛି  । ରହିବା ପାଇଁ କିଛି ନାହିଁ । ଛୋଟ ଛୋଟ ପିଲାଙ୍କୁ ଧରି କେଉଁଆଡେ ଯିବୁ? ବୋଲି ପ୍ରଶ୍ନ କରିଛନ୍ତି । କେବଳ ଏତିକି ନୁହେଁ ରିଲିଫ ମିଳିବ ବୋଲି ଲୋକ ପ୍ରତିନିଧିମାନେ କହୁଛନ୍ତି କିନ୍ତୁ କିଛି ମିଳୁନଥିବା ଲୋକମାନେ ସିଧାସଳଖ ଅଭିଯୋଗ କରିଛନ୍ତି । କେବଳ ଖରାରେ ଛିଡା ହୋଇଯାଉଛୁ ହେଲେ କିଛି ସୁବିଧା ମିଳୁନାହିଁ ବୋଲି ଲୋକମାନେ ଗଣମାଧ୍ୟମ ଆଗରେ ନିଜ ପ୍ରତକ୍ରିୟାରେ କହିଛନ୍ତି ।

Comments are closed.