କଟକକୁ ବି ଛାଡିନାହିଁ ଫୋନି ! ଖୋଲା ଆକାଶ ତଳେ ବିତୁଛି ଅନେକ ପରିବାରର ଜୀବନ, କେବଳ ପ୍ରଶାସନର ସହାୟତାକୁ ରହିଛି ଅପେକ୍ଷା

ଭୁଷୁଡି ପଡିଛି ବିଦ୍ୟୁତ୍ ସେବାର ଭିତିଭୂମି

181

କନକ ବ୍ୟୁରୋ : ପୁରୀ ଓ ଭୁବନେଶ୍ୱର ପରେ ବାତ୍ୟା ଫୋନି ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି କଟକ ଜିଲ୍ଲା । ଭୁଷୁଡି ପଡିଛି ବିଦ୍ୟୁତ୍ ସେବାର ଭିତିଭୂମି । ଏହାକୁ ସଜାଡିବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଥିଲେ ବି ଏହି ପକ୍ରିୟା ମନ୍ଥର ଗତିରେ ଚାଲିଛି । ରାସ୍ତା ଉପରେ ଏବେ ବି ପଡି ରହିଛି ବଡ ବଡ ବିଦ୍ୟୁତ୍ ଖୁଂଟ । ଏହି ସ୍ଥିିତିକୁ ସୁଧାରିବା ଏହା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ତେବେ ଦିନରେ ଯେନେତେନେ ପ୍ରକାରରେ ଲୋକ ରହିଯାଉଛନ୍ତି ହେଲେ ସଞ୍ଜ ନଂଇଲେ ଅବସ୍ଥା ସଙ୍ଗୀନ ହୋଇପଡୁଛି ।

ବାତ୍ୟାରେ ଘର କ୍ଷତିଗ୍ରସ୍ତ ହୋଇଥିବା କାରଣକୁ ଅନେକ ପରିବାରର ଏବେ ସାହା ଭରଷା ରାସ୍ତା ବା କେଉଁ ଆଶ୍ରୟ ସ୍ଥଳୀ । ହେଲେ ସେଠାରେ ବି ସୁବିଧା ନଥିବା ଅନେକ ଅଭିଯୋଗ କରିଛନ୍ତି । ପ୍ରବଳ ଗରମ ବ୍ୟତିବ୍ୟସ୍ତ କରୁଛି ଲୋକଙ୍କୁ । ବିଜୁଳିକୁ ତାଳ ଦେଇ ଲୋକଙ୍କୁ ସମସ୍ୟାରେ ପକାଉଛି ପାଣି । ଗୋଟିଏ ନଳକୂପରୁ ଅନେକ ନେଉଛନ୍ତି ପାଣି ।

ଯାହାକୁ ନେଇ ମଧ୍ୟ ବିବାଦ ଦେଖାଯାଉଛି । ତେବେ କେବେ ସହର ମଧ୍ୟରେ ପାଣି ଆସିବ ଏବଂ ସ୍ୱାଭାବିକ ବିଦ୍ୟୁତ ସେବା ହେବ ତାହାକୁ ନେଇ ଏବେ ଚିନ୍ତାରେ ସହରବାସୀ । ହେଲେ କେବେ ସହରର ପରିସ୍ଥିତି ସ୍ୱାଭାବିକ ହେବ ତାହା ସମ୍ପର୍କରେ କେହି ସଠିକ ଉତର ଦେଇପାରୁନାହାନ୍ତି । ବର୍ତମାନ କେବଳ ଅପେକ୍ଷା ଛଡା ସ୍ଥାନୀୟ ଲୋକଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ ।