ରାସ୍ତାଖୋଳି ଲୋକଙ୍କୁ ମରଣଯନ୍ତାରେ ପକାଉଛି ୱାଟକୋ । ଗାତରେ ପଡି ମହିଳା ଗୁରୁତର

209

କନକ ବ୍ୟୁରୋ : ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ସ୍ୱେରେଜ୍ ଲାଇନ ପାଇଁ ୱାଟକୋ ଖୋଳିଥିବା ୧୫ଫୁଟ ଗଭୀର ଗାତରେ ଖସି ପଡିଛନ୍ତି ମହିଳା । ସ୍କୁଟି ଭାଂଗି ଯାଇଥିଲେ ବି ସୌଭାଗ୍ୟ ବସତଃ ମହିଳାଙ୍କ ମୁଣ୍ଡରେ ହେଲମେଟ ଥିବାରୁ ତାଙ୍କ ଜୀବନ ବଂଚିଯାଇଛି ।

ସବୁଦିନ ଭଳି ପିଲାକୁ ସ୍କୁଲକୁ ଆଣିବାକୁ ଯାଉଥିଲେ ୫୮ନମ୍ବର ୱାର୍ଡର ଶିବନଗରୀରେ ରହୁଥିବା ନନ୍ଦିତା ଆଚାର୍ଯ୍ୟ । ସ୍କୁଟିରେ ଯିବା ସମୟରେ ସେ ରାସ୍ତାରେ ଖୋଳା ଯାଇଥିବା ସ୍ୱେରେଜ ଖାଲରେ ପଡି ଯାଇଥିଲେ । ଗାତ ଅଧିକ ଗଭୀର ଥିବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ସିଡି ପକାଇ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ ନନ୍ଦିତା ଆହତ ହୋଇଛନ୍ତି । ଆଉ ସେ ସମୟର କାହାଣୀ କହିବାବେଳେ ଥରି ଉଠିଛନ୍ତିି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ଦିନ ହେଲା ମୁକୁଳା ପଡିଥିବା ଗାତରେ ଅଘଟଣ ଘଟିବା ପରେ ରାତାରାତି ଗାତକୁ ପୋତି ଦେଇଛନ୍ତି ଠିକାଦାର । ୱାଟକୋର ଏଭଳି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

କେବଳ ଶିବନଗର ନୁହେଁ ରାଜଧାନୀର ବିଭିନ୍ନ ଅଂଚଳରେ ସମାନ ସମସ୍ୟା ଦେଖିବାକୁ ମିଳୁଛି । ମହାଦେବନଗର .. ଜାଗମରା.. ଝାରପଡା..ରାସ୍ତା ଉପରେ ବଡ ବଡ ଗାତ ଖୋଳାଯାଇଛି । ସୁରକ୍ଷା ଦୃଷ୍ଟିରୁ କେବଳ ଦୁଇଖଣ୍ଡ ବାଉଁଶ ଆଉ ସବୁଜ ରଂଗର ଦରି ଘେରା ଯାଇଛି । କେତେକ ସ୍ଥାନରେ ଗାତକୁ ସେମିତି ମୁକୁଳା ଛାଡି ଦିଆଯାଇଛି ।

ଦୁଇ ଦିନ ତଳେ ୱାଟକୋକୁ ତାଗିଦ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ । ଯୁଦ୍ଧ କାଳିନ ଭିତିରେ କାମ କରି ନିର୍ଦ୍ଧାରିତ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ, ଶିବନଗରରେ ଦୁର୍ଘଟଣା ଘଟିବା ପରେ, ୱାଟକୋର କାର୍ଯ୍ୟକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି ।