ଜମ୍ମୁ-କାଶ୍ମୀର ଏନକାଉଣ୍ଟର ସମୟରେ ମହିଳା ଅଫିସରଙ୍କ ଦ୍ୱାରା ଆତଙ୍କବାଦୀଙ୍କୁ ଅନ୍ତିମ ଚେତାବନୀ ଦେଉଥିବା ଭିଡିଓ ଭାଇରାଲ୍ ! ଦେଖନ୍ତୁ ଭିଡିଓ 

576

ଜମ୍ମୁ-କାଶ୍ମୀର ରାମବନର ବଟୋତ୍ ରେ ଶନିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ତିନିଜଣ ଆତଙ୍କବାଦୀ ନିପାତ ହେବା ସହ ଜଣେ ସେନା ଯବାନ ସହିଦ୍ ହୋଇଯାଇଛନ୍ତି । ତେବେ ଗୁଳିବିନିମୟ ପୂର୍ବରୁ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ପ୍ରୋତ୍ସାହନ ଦେଇଥିବା ଏସଏସପି ଅନିତା ଶର୍ମାଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଏକ ଘରର ଛାତ ଉପରେ ଠିଆ ହୋଇଥିବାର ଦେଖାଯାଉଛନ୍ତି । ଶର୍ମାଙ୍କ ହାତରେ ମାଇକ୍ ଅଛି ଏବଂ ସେ ଆତଙ୍କବାଦୀଙ୍କୁ ବାହାରକୁ ବାହାରିବା ପାଇଁ କହୁଛନ୍ତି ।

ଭିଡିଓରେ ଏସଏସପି ଅନିତା ଶର୍ମା କହୁଛନ୍ତି , “ଓସାମା … ଓସାମା ଆମେ ସମସ୍ତଙ୍କ ସହ ତୁମର କଥା କରାଇବୁ । ତୁମେ ବାହାରକୁ ଆସିଯାଅ । ଆମେ ଥାଉ ଥାଉ ତୁମର କୌଣସି ଅସୁବିଧା ହେବ ନାହିଁ । ତୁମକୁ କେହି ବି ଛୁଇଁବେନାହିଁ । ଜଲଦି ବାହାରକୁ ଆସିଯାଅ । ଘରର ସଦସ୍ୟଙ୍କୁ ପ୍ରଥମେ ଅସ୍ତ୍ରଶସ୍ତ୍ର ସମେତ ବାହାରକୁ ପଠାଅ । ତୁମକୁ ୧୫ ମିନିଟ୍ ସମୟ ଦିଆଯାଇଥିଲା ଯାହା ଏବେ ସମ୍ପୁର୍ଣ୍ଣ ହୋଇସାରିଛି । ଏବେ ବାହାରକୁ ବାହାରି ଆସ ।” ଚେତାବନୀ ଦେବା ପରେ ମଧ୍ୟ ଆତଙ୍କବାଦୀ ବାହାରକୁ ନ ଆସିବା ଦେଖି ସେନା ଯବାନଙ୍କ ଗୁଳିଚାଳନା ପରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ଆପଣଙ୍କୁ କହିରଖୁଛୁ ଜମ୍ମୁ-କାଶ୍ମୀରର ରାମବନ୍ ବଟୋତ୍ ଅଞ୍ଚଳରେ ଶନିବାର ଆତଙ୍କବାଦୀମାନେ ଗୋଟିଏ ଘରେ ପଶି ଘରର ସଦସ୍ୟଙ୍କୁ ବନ୍ଧକ କରି ରଖିଥିଲେ । ସୂଚନା ପାଇ ଉକ୍ତ ସ୍ଥାନକୁ ଭାରତୀୟ ସେନାର ଯବାନ ପହଁଚି ଚାରିଆଡୁ ଘେରାଉ କରିଥିଲେ । ଯେଉଁଥିରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଶେଷରେ ସେନାର ଯବାନମାନେ ଘରେ ପଶି ଆତଙ୍କୀଙ୍କୁ ମାରି ଗଡାଇଥିଲେ । ଘରେ ପଶିବା ପୂର୍ବରୁ ଯବାନମାନଙ୍କ ଉପରକୁ ଆତଙ୍କୀମାନେ ଗ୍ରେନେଡ୍ ଫୋପାଡିଥିବାରୁ ଏଥିରେ ଜଣେ ଯବାନ ସହିଦ୍ ହେବା ସହ ୨ ଜଣ ଯବାନ ଗୁରୁତର ହୋଇଯାଇଥିଲେ ।