କନକ ବ୍ୟୁରୋ: ବର୍ଷା ଦିନରେ ଚିତି ସାପକୁ ସାବଧାନ । ସାପର ଆକାର ଛୋଟ ହେଲେ ମଧ୍ୟ ଏହାର ବିଷ ଜୀବନ ନେଇଯିବ । ସରକାରଙ୍କ ତଥ୍ୟ ଅନୁସାରେ ସାପ କାମୁଡାରେ ପ୍ରତିବର୍ଷ ୮ଶହରୁ ହଜାରେ ଲୋକ ପ୍ରାଣ ହରାଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ କହିଛି ସାପ କାମୁଡିଲେ ଝଡା ଫୁଙ୍କା ନକରି ତୁରନ୍ତ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ ।
ଚିତି ସାପ ନେଉଛି ଜୀବନ । ରାଜ୍ୟରେ ବଢୁଛି ସର୍ପାଘାତଜନିତ ମୃତ୍ୟୁ । ସରକାରଙ୍କ ତଥ୍ୟ ଅନୁସାରେ ସାପ କାମୁଡାରେ ପ୍ରତିବର୍ଷ ୮ଶହରୁ ହଜାରେ ଲୋକ ପ୍ରାଣ ହରାଉଛନ୍ତି । ବିଶେଷ କରି ବର୍ଷା ଦିନରେ ସର୍ପାଘାତଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି । ଏଥିପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ତେବେ ଚିତି ସାପ କାମୁଡିଥିବା ରୋଗୀଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଉଛି । ବର୍ଷା ଦିନରେ ସାପଙ୍କ ଆବାସ ସ୍ଥଳୀରେ ପାଣି ପଶିଯିବାରୁ ସେମାନେ ଜନ ବସତି ଅଂଚଳକୁ ଚାଲି ଆସିଥାନ୍ତି । ଘର ଭିତରେ ବେଙ୍ଗ, ମୁଷା ଭଳି ଜୀବ ରହୁଥିବାରୁ ଖାଇବା ପାଇଁ ଘରେ ପଶିଯାନ୍ତି ।
କୁହାଯାଏ, ଚିତି ସାପ ବହୁତ ବିଷାକ୍ତ ସାପ । ଛୋଟ ହୋଇଥିବାରୁ ଏହା କେତେବେଳେ କାମୁଡିବ ତାହା ଜାଣିହୁଏ ନାହିଁ ।
ଚିତି ସାପର ଲମ୍ବ - ହାରାହାରି ୩ ଫୁଟ
ରଙ୍ଗ – କଳା, ଧୂଷର, ଇଷତ୍ କଳା ଉପରେ ଧଳାର ସରୁ ଗାର
ବେଳେବେଳେ ଯୋଡ଼ା ଧଳା ଗାର ମଧ୍ୟ ଦେଖିବାକୁ ମିଳିଥାଏ
ଇଂରାଜୀ ନାମ – କମନ୍ କ୍ରେଟ
ବିଷ - ନ୍ୟୁରୋଟକ୍ସିନ୍
୨ ରୁ ୩ ମିଲିଗ୍ରାମ ବିଷ ମଣିଷ ମାରିବାକୁ ଯଥେଷ୍ଟ
ଚିତି ସାପ ସାଧାରଣତଃ ରାତ୍ରୀଚର
କାମୁଡ଼ିବା ପରେ ବହୁତ କମ ଯନ୍ତ୍ରଣା ହୁଏ
ଅନେକ ସମୟରେ ଆଦୌ ଯନ୍ତ୍ରଣା ହୋଇନଥାଏ
କୌଣସି ପ୍ରକାର ଲକ୍ଷଣ ମଧ୍ୟ ଦେଖାଦେଇନଥାଏ
ବିଷକ୍ରିୟାର ପ୍ରଭାବ ବଢ଼ିବା ପରେ ଳକ୍ଷଣ ସାମ୍ନାକୁ ଆସେ
ତେଣୁ ଚିତି ସାପ କାମୁଡିଲେ ଚିକିତ୍ସା କରିବାରେ ବିଳମ୍ବ ହୋଇଥାଏ । ଆଉ ଠିକ ସମୟରେ ଚିକିତ୍ସା ନ ହେବା ଫଳରେ ମୃତ୍ୟୁ ଆଶଙ୍କା ବଢିଯାଇଥାଏ ।
ବର୍ଷା ଦିନରେ ଚିତି ସାପ ଘରେ ପଶି କାମୁଡିବାର ସମ୍ଭାବନା ଅଧିକ ରହିଛି । ତେଣୁ ସାପ କାମୁଡିଲେ ଝଡାଫୁଙ୍କାରେ ବିଶ୍ୱାସ ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛି ।