ଅଭିନୟରେ ପାଦ ଦେଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା

କେଡ୍ରିଟ କାର୍ଡ ବିଜ୍ଞାପନରେ ଏକାଧିକ ଚରିତ୍ରରେ ଅଭିନୟ କରି ସାଉଁଟିଲେ ପ୍ରଶଂସା; ସୋସିଆଲ ମିଡିଆରେ ଧୁମ୍ ମଚାଇଛି ନୀରଜଙ୍କ ନ୍ୟୁ ଲୁକର ବିଜ୍ଞାପନ ଭିଡିଓ

200

କନକ ବ୍ୟୁରୋ : ବିଜ୍ଞାପନରେ ଗୋଲଡେନ୍ ବୟ ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସଫଳତା ପରେ ଏବେ ଅଭିନୟରେ ପାଦ ଥାପିଛନ୍ତି । ନୀରଜଙ୍କ ଜବରଦସ୍ତ ଅଭିନୟ ଏବେ ବିଜ୍ଞାପନ ଦୁନିଆରେ ଚର୍ଚ୍ଚା ସୃଷ୍ଟି କରିଛି । ଏକ କ୍ରେଡିଟ୍ କାର୍ଡ ଭିତିକ ବିଜ୍ଞାପନରେ ଅଭିନୟ କରିଛନ୍ତି ନୀରଜ । ଏଥିରେ ନୀରଜଙ୍କୁ ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି । ଅଲଗା ଅଲଗା ଲୁକରେ ଅଲଗା ହେୟାର ଷ୍ଟାଇଲରେ ନଜର ଆସୁଛନ୍ତି ନୀରଜ ଚୋପ୍ରା । ତାଙ୍କ ଏହି ଅଭିନୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

୨୩ ବର୍ଷୀୟ ନୀରଜଙ୍କ ଜବରଦସ୍ତ ଅଭିନୟ ଏବେ ବିଜ୍ଞାପନ ଦୁନିଆରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଏକ କ୍ରେଡିଟ୍ କାର୍ଡ ଭିତ୍ତିକ କଂପାନିର ବିଜ୍ଞାପନରେ ବିଭିନ୍ନ ଚରିତ୍ରରେ ଯାଦୁଗରୀ ଅଭିନୟ କରି ସମସ୍ତଙ୍କ ମନ ଜିତି ନେଇଛନ୍ତି ସେ । ଏହି କଂପାନି ପୂର୍ବରୁ ଭାରତୀୟ କ୍ରିକେଟ୍ କିଂବଦନ୍ତି ରାହୁଲ ଦ୍ରାବିଡ଼ଙ୍କୁ ନେଇ ‘ଇନ୍ଦିରାନଗର କି ଗୁଣ୍ଡା’ ଏବଂ ବଲିଉଡ୍ ଅଭିନେତା ଜ୍ୟାକି ସ୍ରଫ୍‌ଙ୍କୁ ନେଇ ପ୍ରସ୍ତୁତ କରିଥିବା ‘ଜୁମ୍ବା ଇନଷ୍ଟ୍ରକ୍ଟର’ ବିଜ୍ଞାପନ ଭିଡିଓ ବେଶ୍ ଚର୍ଚ୍ଚିତ ହୋଇଥିଲା । ନୀରଜଙ୍କ ବିଜ୍ଞାପନ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି କରିଛି ।

ଏଥିରେ ତାଙ୍କୁ ଏକସଙ୍ଗରେ ସାମ୍ବାଦିକ, କ୍ୟାସିୟର, ମାର୍କେଟିଂ ଅଧିକାରୀ, ଚଳଚ୍ଚିତ୍ର ପ୍ରଯୋଜକ ଏବଂ ଜଣେ ଉଦୀୟମାନ ଜାଭଲିନ୍ ତାରକା ଭାବେ ଦେଖିବାକୁ ମିଳୁଛନ୍ତି । ନୀରଜ ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ପ୍ରକାଶ କରି ‘୩୬୦ ଡିଗ୍ରି ଭିଡିଓ’ ବୋଲି ଲେଖିଛନ୍ତି। ପୋଷ୍ଟ ହେବାର ମାତ୍ର ଦୁଇ ଦିନ ଭିତରେ ଏହି ଭିଡିଓକୁ ୫ ଲକ୍ଷ ଲାଇକ୍ ମିଳିଗଲାଣି। ବହୁ ବଲିଉଡ୍ ଅଭିନେତା, କ୍ରିକେଟର୍‌ ଓ ବିଜ୍ଞାପନ ଗୁରୁ ନୀରଜଙ୍କ ଅଭିନୟ ଦକ୍ଷତାକୁ ଭୂୟସୀ ପ୍ରଶଂସା କରିଛନ୍ତି ।