ଯନ୍ତ୍ରଣା ବୁଝି ଅସୁସ୍ଥ ମାଙ୍କଡର କଲେ ସେବା : ଓଆରଏସ, ଜୁସ୍ ପିଇ ହେଲା ସୁସ୍ଥ

483

କନକ ବ୍ୟୁରୋ : ମାଙ୍କଡ଼ର ଯନ୍ତ୍ରଣା ବୁଝିଲେ । ଅସୁସ୍ଥ ମାଙ୍କଡର କଲେ ସେବା । କଟକ ଝାଞ୍ଜିରୀମଙ୍ଗଳା ରାଜାବଗିଚା ଗଡ଼ାସ୍ଥିତ ଔଷଧ ଦୋକାନରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ମାଙ୍କଡ଼ ହଠାତ୍ ଦୌଡ଼ି ଆସି ଔଷଧ ଦୋକାନ ଆଗରେ ଥିବା ଏକ ବାଇକରେ ବସି ପଡ଼ିଥିଲା । ଆଉ ଏକ ଲୟରେ ଦୋକାନକୁ ଚାହିଁ ରହିଥିଲା । ସେହି ପାଖ ଦେଇ ଅନେକ ଲୋକ ଯିବା ଆସିବା କରୁଥିଲେ ମଧ୍ୟ ଭୟରେ ତା ପାଖକୁ କେହି ଯାଉନଥିଲେ ।

ଶେଷରେ ଔଷଧ ଦୋକାନର ଦୁଇ ଜଣ କର୍ମଚାରୀ ଆସି ତା ପାଖକୁ ଯାଇ ପିଠି ଆଉଁଶି ଥିଲେ । ଆଉ ଓଆରଏସ୍ ମାଙ୍କଡ଼କୁ ପିଇବାକୁ ଦେଇଥିଲେ । ଓଆରଏସ୍ ଡବାରେ ଷ୍ଟ୍ର ଲଗାଇ ମଣିଷ ପିଇବା ପରି ଓଆରଏସ୍ ପିଇଥିଲା ମାଙ୍କଡ଼ । ଏହା ସହ ଜୁସ୍ ବି ପିଇଥିଲା ମାଙ୍କଡ଼ । ପରେ କିଛି ଅଙ୍ଗୁରୁ ଖାଇ ମାଙ୍କଡ଼ଟି ସେଠାରୁ ପଳାଇଥିଲା । କିଛି ଦୂରକୁ ଯାଇ ଏକ ଗଛ ଉପରେ ବସି ଲୋକଙ୍କୁ ଚାହିଁ ରହିଥିଲା । ଏପରି ଏକ ଦୃଶ୍ୟ ଦେଖିବାକୁ ଲୋକଙ୍କ ଗହଳି ଜମିଥିଲା । ମାଙ୍କଡ଼ର ଏପରି ଆଚରଣ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ବେଶ୍ ଆଚମ୍ବିତ କରିଥିଲା ।