ଗାଡ଼ି ଚାଳକଙ୍କ ଅଦ୍ଭୁତ କାଣ୍ଡ ! ଗାଡ଼ିର କାଗଜ ପତ୍ର ମାଗିବାରୁ ଟ୍ରାଫିକ୍ ପୋଲିସକୁ ୨ କିଲୋମିଟର ପର୍ଯ୍ୟନ୍ତ ବନେଟ୍ ଉପରେ ବୋହିନେଲା, କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ପୁଲିସ ।

532

କନକ ବ୍ୟୁରୋ: ସାରା ଦେଶରେ ଏବେ ଟ୍ରାଫିକ ନିୟମକୁ ବେଶ କଡ୍ଡାକଡ୍ଡି ଭାବେ ପାଳନ କରାଯାଉଛି । ଗାଡି ଚାଳକଙ୍କ ଲାଇସେନ୍ସ ସହ ଗାଡିର କାଗଜ ପତ୍ରର ବି ସଠିକ ଭାବେ ଯାଂଚ କରାଯାଉଛି । ଏମିତି ହିଁ ଏକ ଯାଂଚବେଳେ ଗାଡି ଚାଳକ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ଏପରିକି ଗାଡି ବୋନେଟ ଉପରେ ଟ୍ରାଫିକ୍ ପୁଲିସକୁ ନେଇ ଦ୍ରୁତ ଗତିରେ ଗାଡି ଚଳାଇ ଚମ୍ପଟ୍ ମାରିବାକୁ ଚେଷ୍ଟା କରୁଥିଲେ ଗାଡ଼ି ଚାଳକ । ଟ୍ରାଫିକ୍ ପୋଲିସଙ୍କୁ ଗାଡ଼ି ବନେଟର ଉପରେ ବସାଇ ପାଖାପାଖି ୨ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଚଳାଇନେଉଥବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଗାଡି ବୋନେଟ ଉପରେ ଟ୍ରାଫିକ୍ ପୋଲିସଙ୍କୁ ବସାଇ ୨ କିଲୋମିଟର ପର୍ଯ୍ୟନ୍ତ ବୋହିନେଲା ଚାଳକ । ଏପରି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ଗାଡିର କାଗଜପତ୍ର ମାଗିବାରୁ ଚାଳକ ନିଜ ବୋନେଟ୍ରେ ଟ୍ରାଫିକ ପୋଲିସକୁ ବସାଇ ଟାଣି ନେଇଗଲା ୨ କିଲୋମିଟର । ଆଉ ଜୀବନ ବଂଚାଇବାକୁ ଚିକ୍ରାର କରୁଛନ୍ତି ଟ୍ରାଫିକ୍ ପୋଲିସ ଜଣଙ୍କ । ଏହି ପୁରା ଘଟଣାକୁ କ୍ୟାମେରାରେ କଏଦ କରୁଥିଲେ ଗାଡି ଭିତରେ ଥିବା ଚାଳକଙ୍କ ବନ୍ଧୁ ।

ସୂଚନା ମୁତାବକ, ଟ୍ରାଫିକ ପୋଲିସ ଜଣକ ଗାଡିର ଯାଂଚ ପାଇଁ ଚାଳକଙ୍କୁ ଲାଇସେନ୍ସ ଓ କାଗଜ ପତ୍ର ମାଗିଥିଲେ । ଆଉ ଟ୍ରାଫିକ କର୍ମୀଙ୍କ କଥାକୁ ଖାତିର ନକରି ଗାଡି ଚାଳକ ଗାଡିକୁ ସେଠାରୁ ବୁଲାଇବାକୁ ପ୍ରୟାସ କରିଥିଲେ । ତେବେ ଏହା ଦେଖି ସେମାନଙ୍କୁ ଅଟକାଇବା ପାଇଁ ତୁରନ୍ତ ଗାଡି ବୋନେଟ ଉପରୁ ଡେଇଁ ପଡିଥିଲେ ଟ୍ରାଫିକ ପୋଲିସ । ହେଲେ ଚାଳକ ଜଣକ ଗାଡି ଅଟକାଇବା ପରିବର୍ତେ ଟ୍ରାଫିକ୍ ପୋଲିସଙ୍କୁ ଝୁଲନ୍ତା ଅବସ୍ଥାରେ ୨ କିଲୋମିଟର ଯାଏଁ ଟାଣି ନେଇଥିଲେ । ତେବେ ଏହି ଘଟଣାଟି ନଭେମ୍ବର ମାସରେ ଘଟିଥିଲେ ବି ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣାର ତଦନ୍ତ ହେବା ସହ ଗାଡି ଚାଳକଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।