କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ: ରାଜ୍ୟରେ ଦେଖିବାକୁ ମିଳିଛି ବନ୍ଦର ଆଂଶିକ ପ୍ରଭାବ; କିଛି ସ୍ଥାନରେ ଗାଡି ଚଳାଚଳ ସ୍ୱାଭାବିକ ଆଉ କିଛି ଜାଗାରେ ବନ୍ଦ ରହିଛି ଦୋକାନବଜାର

77

କନକ ବ୍ୟୁରୋ: କୃଷକ ଆଇନ ପ୍ରତ୍ୟାହାର ଦାବିରେ ସାରା ରାଜ୍ୟରେ ଭାରତ ବନ୍ଦ କରାଯାଇଛି । ଏହାର ମିଶ୍ର ପ୍ରଭାବ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଗାଡି ଚଳାଚଳ ସ୍ୱାଭାବିକ ରହିଥିବାବେଳେ ଅନେକ ରେଳଷ୍ଟେସନରେ ରେଳରୋକ କରାଯାଇଛି । ଫଳରେ ସକାଳୁ ସକାଳୁ ଅନେକ ଷ୍ଟେସନରେ ଅଟକି ରହିଥିଲା ଟ୍ରେନ୍ । ବରମୁଣ୍ଡା ବସଷ୍ଟାଣ୍ଡରେ ବନ୍ଦର ପ୍ରଭାବ ପଡିଥିଲା । ମାଷ୍ଟରକ୍ୟାଂଟିନ ଛକକୁ ଛାଡିଦେଲେ ଏ ଯାଏଁ କେଉଁ ଜାଗାରେ ବନ୍ଦର ଆଖିଦୃଶିଆ ପ୍ରଭାବ ପଡିନାହିଁ । ଗାଡିମଟର ଯିବା ଆସିବା ସ୍ୱାଭାବିକ ରହିଛି । କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଲିଥିବା ଏହି ଆନ୍ଦୋଳନକୁ ୧୮ ଦଳ ସମର୍ଥନ କରିଛନ୍ତି ।

ଭାରତ ବନ୍ଦର ପ୍ରଭାବ ଟ୍ୱିନସିଟିରେ ଆଶିଂକ ଦେଖିବାକୁ ମିଳିଛି । ବନ୍ଦ ଯୋଗୁଁ ବରମୁଣ୍ଡା ବସଷ୍ଟାଣ୍ଡରୁ ଗଡିନି ବସ । ଫଳରେ ରାଜଧାନୀକୁ ଆସିଥିବା ଓ ରାଜ୍ୟର ଦୂରଦୂରାନ୍ତ ସ୍ଥାନକୁ ଯିବା ପାଇଁ ବାହାରିଥିବା ଯାତ୍ରୀମାନେ ହଇରାଣ ହୋଇଛନ୍ତି । ବରମୁଣ୍ଡାରେ ଯାତ୍ରୀବାହି ବସଗୁଡିକ ଠିଆ ହୋଇଥିବା ବେଳେ ଯାତ୍ରୀ ବିଶ୍ରାମଗାରରେ ଲୋକେ ପଡି ରହିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନରେ ଅଖିଳ ଭାରତୀୟ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ସଂଗଠନର କର୍ମୀମାନେ ରେଳ ଧାରଣା ଉପରେ ରହି ବିରୋଧ ପ୍ରଦର୍ଶନ କରିବାରୁ କିଛି ସମୟ ପାଇଁ ରେଳ ଚଳାଚଳ ବନ୍ଦ ରହିଥିଲା ।

ଆନ୍ଧ୍ରପ୍ରଦେଶକୁ ବିଇଡି ପରୀକ୍ଷା ଦେବା ପାଇଁ ଯାଉଥିବା ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବହୁ ଯାତ୍ରୀ ଫସି ରହିଥିଲେ । ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ସେପଟେ ବନ୍ଦର ପ୍ରଭାବ କଟକର ବାଦାମବାଡି ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି । ବସଷ୍ଟାଣ୍ଡରେ ପିକେଟିଂ କରି କଂଗ୍ରେସ କର୍ମୀ ଗାଡି ମୋଟରକୁ ଅଟକାଇଛନ୍ତି । ବନ୍ଦ ପାଳନ ଯୋଗୁଁ ବଦାମବାଡି ବସଷ୍ଟାଣ୍ଡରେ ବସଗୁଡିକ ଚଳାଚଳ କରୁନାହିଁ, ଦୋକାନ ବଜାର ବନ୍ଦ ରହିଛି । ବସ ଚାଲୁନଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି । ବନ୍ଦ ପାଳନକୁ ଆଖିରେ ରଖି ସହରର ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ପଇଁତରା ମାରୁଛନ୍ତି ।

କେବଳ କଟକ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ମାଲକାନାଗିରି,କେନ୍ଦ୍ରାପଡା,ନବରଙ୍ଗପୁର, ସମ୍ବଲପୁର,ସୋନପୁର,ବାଲେଶ୍ୱରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦକୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ ରହିଛି । କଂଗ୍ରେସ ଓ ସିପିଏମ କର୍ମୀ ଆନ୍ଧ୍ର ଓ ଓଡିଶାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିବାରୁ ଯାତାୟତ ପ୍ରଭାବିତ ହୋଇଛି । କେନ୍ଦ୍ରାପଡ଼ା ତିନିମୁହାଣି ଛକରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାର କୃଷି ଆଇ ପ୍ରତ୍ୟାହାର ଦାବିରେ ଚାଷୀମାନେ ଧାରଣାରେ ବସିଛନ୍ତି । ସେହିପରି ବାଲେଶ୍ୱରରେ ସକାଳୁ ସକାଳୁ ଷ୍ଟେସନ ଛକ ଓ ଅନ୍ୟ ଛକମାନଙ୍କର ଆନ୍ଦୋଳନକାରୀମାନେ ପିକେଟିଂ କରୁଥିବା ଦେଖିବାକୁ ମିଳିଥିଲା ।

ଜରୁରୀ ସେବା ବ୍ୟତିତ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ଛୋଟୋମୋଟ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ନବରଙ୍ଗପୁରରେ ଚାଉଁରିଆଗୁଡା ଛକ, କଂଗ୍ରେସ ଅଫିସ ସମ୍ମୁଖରେ ୨୬ ନଂବର ଜାତୀୟ ରାଜପଥକୁ ଅବରୋଧ କରିଥିବା ଗମନାଗମନ ଠପ ହୋଇଯାଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ଗାଡିଗୁଡିକ ଅଟକି ରହିଛି । ସୁବର୍ଣ୍ଣପୁରରେ ମଧ୍ୟ ପିକେଟିଂ କରି ନଗର କଂଗ୍ରେସ କର୍ମୀ ଦୋକାନ ବଜାର ବନ୍ଦ କରୁଥିବା ଦେଖିବାକୁ ମିଳିଛି । ବନ୍ଦ ଯୋଗୁଁ ସୋନପୁରରେ ଗାଡି ମଟର ଚଳାଚଳ ବନ୍ଦ ରହିଛି । ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ କଂଗ୍ରେସ ଦଳ କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି ।