ବର୍ଜ୍ୟବସ୍ତୁ ଦେଉଛି ରୋଜଗାର, ପ୍ରକ୍ରିୟାକରଣ ମାଧ୍ୟମରେ ପ୍ରସ୍ତୁତ ହେଉଛି ସାର

119

କନକ ବ୍ୟୁରୋ : ବିଶେଷକରି ଘରୁ ବାହାରୁଥିବା ବର୍ଜ୍ୟବସ୍ତୁ ଗୁଡ଼ିକୁ ସମସ୍ତେ ଫୋପାଡ଼ି ଦେଇଥାଆନ୍ତି । ହେଲେ ଏହି ଅଳିଆକୁ ଠିକ୍ ଭାବେ ଉପଯୋଗ କଲେ ଏହା ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ହୋଇପାରିବ ଏହାକୁ ପ୍ରମାଣିତ କରିଛି ବଲାଙ୍ଗୀର ପୌରସଂସ୍ଥା । ପୌର ସଂସ୍ଥା ପକ୍ଷରୁ ଅଳିଆ ଅବର୍ଜନାରୁ କିଭଳି ଖତ ପ୍ରସ୍ତୁତ କରାଯିବ ସେଥିପାଇଁ ଏକ ସୁନ୍ଦର ପରିକଳ୍ପନା କରାଯାଇଛି    । ପୌର ପରିଷଦ ପକ୍ଷରୁ ହୋଇଥିବା ଅଣୁ ଜୈବସାର ପ୍ରକ୍ରିୟାକରଣ ୟୁନିଟ୍ରେ ଆବର୍ଜନାରୁ ସାର ପ୍ରସ୍ତୁତ କରାଯାଉଛି । ଆଉ ଏଥିରେ ମଧ୍ୟ ଏସଏଚଜି ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇଛି । ମହିଳା ମାନେ ବିଘଟିତ ଅଳିଆକୁ ଜମା କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ଭର୍ମି କମ୍ପୋଷ୍ଟ ବା ଜିଆ ଖତ । ବଜାରରେ ଏହାର ଅଧିକ ଚାହିଦା ରହିଥିବାରୁ ଏଥିରୁ ଭଲ ରୋଜଗାର ହୋଇପାରୁଛି ।

ସହରର ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଉଥିବା ଅଳିଆ ଗୁଡ଼ିକୁ ବିଜାଖମନରେ ଥିବା ଡମ୍ପିଂୟାର୍ଡ଼କୁ ନିଆଯାଏ । ସେଠାରେ ମାଟିରେ ମିଶୁଥିବା ଅଳିଆକୁ ଅଲଗା କରି ଛୋଟ ଛୋଟ ଖଣ୍ଡରେ ପରିଣତ କରନ୍ତି ମହିଳାମାନେ । ଏହାକୁ ୧୪ଟି ଟାଙ୍କିରେ ରଖି ସେଥିରୁ ଖତ ପ୍ରସ୍ତୁତ କରନ୍ତି । ଏହା ପରେ ପ୍ୟାକିଂ କରି ମାର୍କେଟକୁ ଛଡାଯାଇଥାଏ । ତେବେ ଏହି କାମରେ ନିଜକୁ ନିୟୋଜିତ କରି ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଏହି ମହିଳା ମାନେ ।

କେବଳ ଏସଏଚଜି ମହିଳା ନୁହେଁ ଏହି କାମରେ କିନ୍ନର ମାନଙ୍କୁ ମଧ୍ୟ ରୋଜଗାର କରିବାର ସୁଯୋଗ ମିଳିଛି । ପ୍ରତିଦିନ ସକାଳୁ ଏହି କିନ୍ନର ମାନେ ଅଳିଆ ଗାଡ଼ି ନେଇ ବାହାରି ଯାଆନ୍ତି ଏବଂ ୱାର୍ଡ଼ ୱାର୍ଡ଼ ବୁଲି ଓଦା ଓ ଶୁଖିଲା ଅଳିଆ ସଂଗ୍ରହ କରନ୍ତି । ଆଉ ଠିକ୍ ସମୟରେ ଡମ୍ପିଂୟାର୍ଡରେ ପହଂଚାଇଥାଆନ୍ତି ।

ଏବେର ସମୟରେ ମହିଳାମାନେ କୌଣସି କ୍ଷେତ୍ରରେ କମ୍ ନୁହଁନ୍ତି । ନିଜେ ରୋଜଗାର କରି ପରିବାର ଚଳାଇବାରେ ମଧ୍ୟ ସେମାନେ ସକ୍ଷମ ବୋଲି ଏଭଳି ସାମ୍ନାକୁ ଆସୁଥିବା ଅନେକ କାହାଣୀ ପ୍ରମାଣିତ କରୁଛି । ଅନ୍ୟପଟେ ବଲାଙ୍ଗୀର ପୌରସଂସ୍ଥାର ଏଭଳି ପଦକ୍ଷେପକୁ ନେଇ ଅନେକ ପ୍ରସଂଶା କରାଯାଉଛି ।