ଆମ ପାଇଁ ଅଦରକାରୀ, ଆଉ କାହାର ପେଟକୁ ଦେଉଛି ଦାନା । ଜୀବିକାର ଉତ୍ସ ପାଲଟିଛି ଅଦରକାରୀ ପେପର ।

67

କନକ ବ୍ୟୁରୋ: ବେରୋଜଗାରୀଙ୍କ ପାଇଁ ରୋଜଗାରର ଅନ୍ୟ ମାଧ୍ୟମ ପାଲଟିଛି କାଗଜ ଠୁଙ୍ଗା । ଅନେକ ପରିବାରକୁ ଖାଦ୍ୟ ଯୋଗାଉଛି ଏହି କାଗଜ ଠୁଙ୍ଗା ବ୍ୟବସାୟ । ସମ୍ବଲପୁରରେ କୁଟୀର ଶିଳ୍ପ ପାଲଟିଛି କାଗଜ ଠୁଙ୍ଗା ବ୍ୟବସାୟ । ଷ୍ଟେସନପଡା ଅଂଚଳରେ ୧୫ରୁ ଅଧିକ ପରିବାରର ମହିଳା ମାନେ ଏହି ବ୍ୟବସାୟ କରି ବେଶ୍ ଆତ୍ମନିର୍ଭରତା ହୋଇପାରିଛନ୍ତି । ଆମ ନିତିଦିନିଆ ବ୍ୟବହାରରେ ଆମେ ହୁଏତ କାଗଜକୁ ଅଦରକାରୀ ଭାବି ନଷ୍ଟ କରିଥାଉ ହେଲେ ଏମିତି ଏକ ଗାଁ ଯାହାଙ୍କ ପାଇଁ ଅଦରକାରୀ କାଗଜ ପାଲଟିଛି ତାଙ୍କର ଜୀବିକାର ଉତ୍ସ ।

ଆମ ପାଇଁ ହୋଇପାରେ ଅଦରକାରୀ ପେପର, ହେଲେ ଆଉ କାହାର ପେଟକୁ ଦେଉଛି ଦାନା । ସମ୍ବଲପୁର ଷ୍ଟେସନପଡା ଅଂଚଳରେ ୧୫ରୁ ଅଧିକ ପରିବାର କାଗଜ ଠୁଙ୍ଗା ତିଆରି କରି ଆତ୍ମନିର୍ଭର ଶୀଳ ହୋଇପାରିଛନ୍ତି । ମହିଳାମାନେ ବିଭିନ୍ନ ସ୍ଥାନରୁ ପେପର ସଂଗ୍ରହ କରି କାଗଜ ଠୁଙ୍ଗା ତିଆରି କରିଥାନ୍ତି । ଘର କାମ ସାରିବା ପରେ ଏହି ମହିଳାମାନେ କାଗଜ କାଟିବା ଠାରୁ ଆରମ୍ଭ କରି ଅଠା ଲଗାଇ ଠୁଙ୍ଗା କରିବା କାମରେ ଲାଗି ପଡନ୍ତି ।

କାଗଜ ଠୁଙ୍ଗା ବ୍ୟବସାୟକୁ ପରୋକ୍ଷରେ ଲାଭ ଦେଉଛି ସରକାରଙ୍କ ପଲିଥିନ୍ ବ୍ୟାନ୍ ନିଷ୍ପତି । ଦିନକୁ ଜଣେ ମହିଳା ୨୦୦ ରୁ ୩୦୦ କାଗଜ ଠୁଙ୍ଗା ତିଆରି କରୁଥିବା ବେଳେ କେଜି ପ୍ରତି ୪୦ ଟଙ୍କାରେ ବିଭିନ୍ନ ଦୋକାନୀଙ୍କୁ ବିକ୍ରି କରୁଛନ୍ତି । ପେପର କିଲୋକୁ ୮ରୁ ୧୦ ଟଙ୍କାରେ ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଥାନ୍ତି ଷ୍ଟେସନପଡାର ମହିଳା । ଆଉ ଦିନକୁ ୧୦୦ ରୁ ଅଧିକ ଟଙ୍କା ରୋଜଗାର କରିବା ସହିତ ଘର ପ୍ରତିପୋଷଣରେ ଏକ ମୂଖ୍ୟ ଭୂମିକା ନେଇ ପାରିଛନ୍ତି । ଆଗାମୀ ଦିନରେ ପଲିଥିନ ସମ୍ପୂର୍ଣ୍ଣ ବନ୍ଦ ହେବା ପରେ ଠୁଙ୍ଗାର ଚାହିଦା ବଢିବା ସହ ଏମାନେ ରୋଜଗାର ବଢିବ ବୋଲି ଆଶା କରାଯାଉଛି ।