କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିଛି ଆଉ ଏକ ଝଟକା । ଅଲରାଉଣ୍ଡର ୱାଂଶିଟନ ସୁନ୍ଦର ଆହତ ହୋଇ ଦଳରୁ ବାଦ୍ ପଡିଛନ୍ତି । ଅଗଷ୍ଟ ୪ ତାରିଖରୁ ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବାକୁ ଅଛି । ହେଲେ ଏହା ପୂର୍ବରୁ ସୁନ୍ଦର ଆହତ ହେବା ଦଳ ପାଇଁ ବଡ କ୍ଷତି ବୋଲି କୁହାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୱାଂଶିଟନ ସୁନ୍ଦରଙ୍କ ସହିତ ଆବେଶ ଖାନ୍ ମଧ୍ୟ ଆହତ ହୋଇ ଦଳରୁ ବାଦ୍ ପଡିଛନ୍ତି ।
ଆଗାମୀ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡରେ ଅଛି । ସେଠାରେ ଦଳ ଏବେ କାଉଣ୍ଟି ସିଲେକ୍ଟ ଇଲେଭେନ୍ ସହ ଅଭ୍ୟାସ ମ୍ୟାଚ୍ ଖେଳୁଛି । ତେବେ ଏହି ମ୍ୟାଚ୍ ସମୟରେ ୱାଂଶିଟନ ସୁନ୍ଦର ଆହତ ହୋଇଥିବା ଖବର ମିଳିଛି ।
ଭାରତୀୟ ଦଳରୁ ୱାଂଶିଟନ ସୁନ୍ଦର ଆହତ ହୋଇ ବାଦ୍ ପଡିବା, ଦଳ ପାଇଁ ବଡ କ୍ଷତି ବୋଲି କୁହାଯାଉଛି । କାରଣ ସେ ମିଡିଲ୍ ଅର୍ଡରରେ ବ୍ୟାଟିଂ କରିବା ସହିତ ଦଳ ପାଇଁ ଉପଯୋଗୀ ବୋଲିଂ ମଧ୍ୟ କରିଥାନ୍ତି । ଅଷ୍ଟ୍ରେଲିଆ ଗସ୍ତ ସମୟରେ ଗାବା ଟେଷ୍ଟରେ ମଧ୍ୟ ସେ ୬୨ ରନର ଉପଯୋଗୀ ଇଂନିସ ଖେଳିଥିଲେ । ତା ସହ ଇଂଲଣ୍ଡ ବିପକ୍ଷରେ ମଧ୍ୟ ୯୦.୫୦ ହାରରେ ରନ୍ କରିଥିଲେ । ତେଣୁ ଆଗାମୀ ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ସେ ଆହତ ହୋଇ ଦଳରୁ ବାଦ୍ ପଡିବା ଦଳ ପାଇଁ ବଡ କ୍ଷତି ହୋଇଛି ।
ସୂଚନାଯୋଗ୍ୟ ଯେ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଓପନର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ ମଧ୍ୟ ଆହତ ହୋଇ ଦଳରୁ ବାଦ୍ ପଡିସାରିଛନ୍ତି । ତାଙ୍କ ବଦଳ ଖେଳାଳି ଭାବେ ବିସିସିଆଇ ଏଯାଏଁ କୌଣସି ଖେଳାଳିଙ୍କୁ ଇଂଲଣ୍ଡ ପଠାଇନାହିଁ । ବୋର୍ଡ ପାଖରେ ବିକଳ୍ପର ଅଭାବ ନଥିଲେ ମଧ୍ୟ ଦଳ କୌଣସି ବିକଳ୍ପ ଖେଳାଳିଙ୍କୁ ଇଂଲଣ୍ଡ ଗସ୍ତରେ ପଠାଇନି । ଯେଉଁ କାରଣୁ ଇଂଲଣ୍ଡ ଗସ୍ତରେ ଥିବା ୨୪ ଜଣିଆ ଭାରତୀୟ ଦଳ ଏବେ ୨୧କୁ ଖସିଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/2-28.jpg)