କନକ ବ୍ୟୁରୋ : ଫେବୃୟାରୀ ମାସର ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ରାତିରେ ହାଲକା ଶୀତ ଅନୁଭୂତ ହେଉଥିଲା ବେଳେ ସକାଳୁ ଟାଣ ଖରା ପଡି ଦିନରେ ଗରମ ଅସହ୍ୟ ହୋଇପଡୁଛି । କିଛି ଦିନ ହେଲା ଖରାବେଳିଆ ଗରମ ଲୋକଙ୍କୁ ଡରାଇଲାଣି । ଫେବୃୟାରୀରରୁ ଏଭଳି ଗରମ ହେଉଥିବା ସଙ୍କେତ ଦେଉଛି, ଆଗକୁ ଆହୁରି ତାତି ବଢିବ ଓ ତାତିରୁ ନିସ୍ତାର ମିଳିବ ନାହିଁ ।

Advertisment

ମାଘ ମାସ ସରୁ ସରୁ ଅଳ୍ପ କିଛି ସ୍ଥାନକୁ ଛାଡିଦେଲେ ଡହଡହ ଖରା ଅସ୍ତ୍ୟବ୍ୟସ୍ତ କରିପକାଇଲାଣି । ରାଜଧାନୀର ଗତ ୪ ଦିନର ତାପମାତ୍ରା ୩୫ ଡିଗ୍ରୀ ଡେଇଁଛି । ଏମିତିକି ଏପ୍ରିଲ ମେ ଭଳି ଏବେ ସକାଳ ୮ଟାରୁ ଟାଣ ଖରା ହୋଇଯାଉଛି । ଏହାକୁ ନେଇ ପାଣିପାଗ ବିଶେଷଜ୍ଞ ମାର୍ଚ୍ଚରେ ପାରଦ ୪୨ରୁ ୪୩ ଡିଗ୍ରୀ ଛୁଇଁବ ବୋଲି ଅନୁମାନ କରିଛନ୍ତି । ତେଣୁ ଏଥର ତାତିରୁ ଓଡିଶାବାସୀଙ୍କୁ ନିସ୍ତାର ମିଳିବ ନାହିଁ ବୋଲି ଏବେଠୁ ଜଳ ଜଳ ଦିଶିଲାଣି ।

ଗତ ୪ ମାସ ହେଲା ବର୍ଷା ନାହିଁ । ଫଳରେ ମାଟିର ଆର୍ଦ୍ରତା କମ ଥିବାରୁ ତଥା ମାଟି ଶୁଖିଲା ଯୋଗୁଁ ତାପମାତ୍ରା ଖୁବ ଅଧିକ ରହିଛି । ସେହିପରି ବାୟୁମଣ୍ଡଳରେ ଆର୍ଦ୍ରତା କମ ଯୋଗୁଁ ତାତି ବଢୁଛି । ଅନ୍ୟପଟେ ଚଳିତ ବର୍ଷ ଲା-ନିନା ନିଷ୍କ୍ରିୟ ହୋଇ ଏଲ-ନିନୋ ସକ୍ରିୟ ହେଉଥିବାରୁ ଦେଶର ପାଗ ଏଥର ଉଷ୍ଣ ରହିବ । ବର୍ଷା କମ ଓ ଗରମ ଅଧିକ ରହିବ ବୋଲି ଆଇଏମଡି ସୂଚନା ଦେଇଛି ।