କନକ ବ୍ୟୁରୋ : ସମୁଦ୍ରରେ ବଢିଲା ଭାରତର ଶକ୍ତି । ଆଇଏନଏସ ବିକ୍ରାନ୍ତ ପରେ ଭାରତକୁ ମିଳିଲା ଆଉ ଏକ ଲଢୁଆ ଯୁଦ୍ଧପୋତ ତାରାଗିରି । ଯାହା ଶତ୍ରୁଙ୍କର ନିଦ ହଜାଇ ଦେବ । ସମୁଦ୍ରର ମହାବଳୀ କୁହାଯାଉଥିବା ତାରାଗିରି ଜଳପଥରେ ଭାରତର ସାଜିବ ସୁରକ୍ଷାକବଚ । ଏହି ଲଢୁଆ ଯୁଦ୍ଧପୋତକୁ  ଇଣ୍ଟିଗ୍ରେଟେଡ କନଷ୍ଟ୍ରକସନ ଉପାୟରେ ନିର୍ମାଣ କରାଯାଇଛି । ଅଥାର୍ତ ଏହି ଯୁଦ୍ଧପୋତର ବିଭିନ୍ନ ପାର୍ଟ ଭିନ୍ନ ଭିନ୍ନ ସ୍ଥାନରେ ନିର୍ମାଣ କରାଯିବା ପରେ ଏହାକୁ ଗୋଟିଏ ସ୍ଥାନରେ ଯୋଡା ଯାଇଛି । ଯାହାର ନିର୍ମାଣ କାର୍ଯ୍ୟ  ୧୦ ସେପ୍ଟେମ୍ବର ୨୦୨୦ରେ ଆରମ୍ଭ ହୋଇଥିଲା । ସମୁଦ୍ର ମଧ୍ୟରେ ଏହି ଯୁଦ୍ଧପୋତର କିଛି ବର୍ଷର ପରୀକ୍ଷଣ ପରେ ଏହାକୁ ନୌସେନାରେ ସାମିଲ କରାଯିବ ।

Advertisment

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତାରାଗିରି ଯୁଦ୍ଧପୋତରୁ ବ୍ରହ୍ମୋସ ମିସାଇଲରେ ଆକ୍ରମଣ କରିହେବ । ଯୁଦ୍ଧପୋତରୁ ଆକାଶପଥକୁ ନିକ୍ଷେପ କରାଯାଉଥିବା ୩୨ ବରାକ ୮ ଇଆର ମିସାଇଲ ମଧ୍ୟ ଏହି ଯୁଦ୍ଧପୋତରେ ସାମିଲ କରାଯାଇପାରେ । ଏହାବ୍ୟତୀତ ଯୁଦ୍ଧପୋତରେ ୨ଟି ଟ୍ରିପଲ ଟ୍ରପିଡୋ ଟ୍ୟୁବ୍ ମଧ୍ୟ ରହିଛି । ଏହାର ଲମ୍ବ ୧୪୯ ମିଟର ରହିଥିବା ବେଳେ ଚଉଡା ୧୭.୮ ମିଟର ରହିଛି । ଏଥିରେ ଦୁଇଟି ଗ୍ୟାସ୍ ଟରବାଇନ ଓ ଦୁଇଟି ମୁଖ୍ୟ ଡିଜେଲ ଇଞ୍ଜିନ ରହିଛି । ସମୁଦ୍ର ମଧ୍ୟରେ ଏହି ଯୁଦ୍ଧପୋତ ସର୍ବାଧିକ ୫୯ କିଲୋମିଟର ବେଗରେ ଗତି କରିପାରିବ । ଏଥିରେ ୩୫ ଅଧିକାରୀଙ୍କ ସମେତ ୧୫୦ ଜଣ ରହିପାରିବେ । ଏହି ଅତ୍ୟାଧୁନିକ ଯୁଦ୍ଧପୋତର ଓଜନ ୩୫୧୦ ଟନ୍ ରହିଛି । ଏଥିରେ ହେଲିକପ୍ଟର ହ୍ୟାଙ୍ଗର ରହିଛି । ଯେଉଁଥିରେ ୨ଟି ଅତ୍ୟାଧୁନିକ ହେଲିକପ୍ଟର ରହିପାରିବ ।

ଏହି ଯୁଦ୍ଧପୋତ ପ୍ରୋଜେକ୍ଟ ୧୭ଏ ଅଧିନରେ ନିର୍ମିତ ହୋଇଛି ।  ପ୍ରୋଜେକ୍ଟ ୧୭ଏ ଫ୍ରିଗେଡର ମୋଟ ମୂଲ୍ୟ ୨୫,୭୦୦ କୋଟି ଟଙ୍କା ରହିଛି । ପ୍ରୋଜେକ୍ଟ ୧୭ଏ ଅଧିନରେ ପ୍ରଥମ ଜାହାଜ ନୀଳଗିରି ୨୮ ସେପ୍ଟେମ୍ବର ୨୦୧୯ରେ ଲଞ୍ଚ କରାଯାଇଥିଲା । ସେହିଭଳି ଏହି ପ୍ରୋଜେକ୍ଟର ଦ୍ୱିତୀୟ ଜାହାଜ ଉଦୟଗିରି ଚଳିତବର୍ଷ ମେ’ ୧୭ ତାରିଖରେ ଲଞ୍ଚ  କରାଯାଇଥିଲା । ସମୁଦ୍ର ମଧ୍ୟରେ ଏହି ୨ ଜାହାଜର ପରୀକ୍ଷଣ ୨୦୨୪ରେ କରାଯିବ । ତାରାଗିରି ପ୍ରୋଜେକ୍ଟ ୧୭ଏର ତୃତୀୟ ଯୁଦ୍ଧପୋତ ହୋଇଥିବା ବେଳେ ଅନ୍ତିମ ଯୁଦ୍ଧପୋତର ନିର୍ମାଣ ୨୮ ଜୁନରୁ ଆରମ୍ଭ ହୋଇଛି ।

ତାରାଗିରି ଯୁଦ୍ଧପୋତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସେନସର, ଆଡଭାନ୍ସ ଆକ୍ସନ ଇନଫରମେସନ ସିଷ୍ଟମ, ପ୍ଲାଟଫର୍ମ ମ୍ୟାନେଜମେଣ୍ଟ  ସିଷ୍ଟମ, ଉନ୍ନତ ପାୱାର ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ସହ ଅନ୍ୟାନ୍ୟ ଅତ୍ୟାଧୁନିକ ଫିଚର୍ସ ରହିଛି । ଯାହା ସମୁଦ୍ରପଥରେ ଶତ୍ରୁଙ୍କୁ ସାବାଡ କରିବାକୁ ଯଥେଷ୍ଟ । ଶତ୍ରୁପକ୍ଷର ଯେକୌଣସି ବିମାନ ଓ ଆଣ୍ଟିସିପ୍ କ୍ରୁଜ୍ ମିସାଇଲକୁ ଏହି ଯୁଦ୍ଧପୋତ ଜବାବ ଦେବାକୁ ସକ୍ଷମ । ଭାରତ ପାଖରେ ଏବେ ଶିବାଲିକ କ୍ଲାସ, ତଲୱାର କ୍ଲାସ ଓ ବ୍ରହ୍ମପୁତ୍ର କ୍ଲାସର ମୋଟ ୧୨ଟି ଫ୍ରିଗେଟସ ରହିଛି । ଶିବାଲିକ କ୍ଲାସରେ ନିର୍ମିତ ହେଉଥିବା ଯୁଦ୍ଧପୋତ ସବୁଠୁ ଓଜନ ଓ ଅତ୍ୟାଧୁନିକ । ଏହାର ଓଜନ ୬୨୦୦ ଟନ୍ । ଏହି ଯୁଦ୍ଧପୋତର ମୁଖ୍ୟ କାମ ଶତ୍ରୁଙ୍କୁ ଆକ୍ରମଣ କରିବା ।

ହିମାଳୟରେ ଥିବା ପାହାଡ ଶୃଙ୍ଖଳର ନାମ ଅନୁଯାୟୀ, ତାରାଗିରି ଯୁଦ୍ଧପୋତର ନାମକରଣ କରାଯାଇଛି । ରବିବାର ମୁମ୍ବାଇର ମଝଗାଓଁ ଡକରୁ ଏହାକୁ ସମୁଦ୍ର ମଧ୍ୟକୁ ଛଡାଯାଇଛି ।