କନକ ବ୍ୟୁରୋ: ୭୪ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ଦିଲ୍ଲୀର କର୍ତ୍ତବ୍ୟ ପଥରୁ ଦମ୍ ଦେଖାଇଛି ଭାରତ । ଶକ୍ତି ପଦର୍ଶନ କରିଛନ୍ତି ଭାରତୀୟ ତିନି ସେନାବାହିନୀର ଯୋଦ୍ଧା । ସାରାବିଶ୍ୱ ଆଗରେ ପରାକ୍ରମ ଦେଖାଇଛନ୍ତି ମେକାନାଇଜଡ ଇନଫ୍ୟାଣ୍ଟ୍ରି ରେଜିମେଂଟ, ପଞ୍ଜାବ ରେଜିମେଂଟ, ମରାଠା ଲାଇଟ୍ ଇନଫ୍ୟାଂଟ୍ରି ରେଜିମେଂଟ, ଡୋଗରା ରେଜିମେଂଟ, ବିହାର ରେଜିମେଂଟ, ଆସାମ ରେଜିମେଂଟ ଓ ଗୋରଖା ବ୍ରିଗେଡ ସମେତ ସେନାର ଆଉ ୬ଟି ରେଜିମେଂଟର ବୀର ଯବାନ । ଆଉ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସଲାମ ଜଣାଇଛନ୍ତି ।

Advertisment

କର୍ତବ୍ୟପଥରେ ନିଜ ନିଜ ସାମରିକ ଦଳର ନେତୃତ୍ୱ ନେଇ ସାମରୀକ କୌଶଳ ଦେଖାଇଛନ୍ତି ମହିଳା ଅଧିକାରୀ । ନୌବାହିନୀର ଏଆର ଅପରେସନ ଅଧିକାରୀ ଲେଫ୍ଟନାଂଟ କମାଣ୍ଡର ଦିଶା ନେତୃତ୍ୱ ନେଇଥିବାବେଳେ, ସ୍ୱଦେଶରେ ନିର୍ମିତ ଭୁପୂଷ୍ଠରୁ-ବାୟୁ କ୍ଷେପଣାସ୍ତ୍ର ବ୍ୟବସ୍ଥା ଆକାଶର ନେତୃତ୍ୱ ନେଇଥିଲେ ଲେଫଟନାଂଟ ଚେତନ ଶର୍ମା । ସେହିପରି ସ୍କ୍ୱାଡ୍ରନ ଲିଡର ସିନ୍ଧୁ ରେଡ୍ଡି ଭାରତୀୟ ବାୟୁସେନା ପରେଡ ଦଳର ନେତୃତ୍ୱ ନେଇଥିଲେ । ଓଡ଼ିଆ ଝିଅ ସୋନାଲି ସାହୁ ୧୪୮ ଜଣିଆ ଏନସିସିର ବାଳିକା କଂଟିଜେଂଟର କମାଣ୍ଡିଂ ଭୂମିକାର ନେତୃତ୍ୱ ନେଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏନସିସି ବାଳିକା କଂଟିଜେଂଟରେ ଓଡ଼ିଶାରୁ ୯ ଜଣ ସାମିଲ ହୋଇଥିଲେ ।

ପରେଡ ପରେ, ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ରକୁ ପ୍ରଦର୍ଶନ କରି ସାରାବିଶ୍ୱକୁ ନୂଆ ବାର୍ତା ଦେଇଛି ଭାରତ । ଯେଉଁସବୁ ଯୁଦ୍ଧାସ୍ତ୍ର ଯୁଦ୍ଧ ଭୂମିରେ ଦେଖିବାକୁ ମିଳେ, ସୀମାରେ ସେନା ପାଖରେ ଥାଏ, ସେଗୁଡିକୁ କର୍ତବ୍ୟପଥରେ ପ୍ରଦର୍ଶିତ କରାଯାଇଛି । ବ୍ରହ୍ମୋସ ମିଜାଇଲ ପ୍ରଦର୍ଶିତ କରାଯାଇଛି । ଏହା ଏମିତି ଏକ କ୍ଷେପଣାସ୍ତ୍ର ଯିଏ ଅଧାର ବାଟରେ ବି ଟାର୍ଗେଟ ବଦଳାଇବାରେ ସକ୍ଷମ । ଚଳପ୍ରଚଳ କରୁଥିବା ଲକ୍ଷ୍ୟକୁ ଭେଦିବାକୁ ସକ୍ଷମ ।

ସେହିପରି ଭାରତୀୟ ସ୍ଥଳ ସେନାରେ ନିୟୋଜିତ ପ୍ରମୁଖ ଯୁଦ୍ଧ ଟ୍ୟାଙ୍କ ଅର୍ଜ୍ଜୁନ, ନାଗ-ମିଜାଇଲ ସିଷ୍ଟମ, ଇନଫ୍ୟାଂଟ୍ରି କମ୍ବାଟ ଭେଇକିଲ୍, କ୍ୱିକ୍ ରିଆକ୍ସନ ଫାଇଟିଙ୍ଗ ଭେଇକିଲ୍, କେ-୯-ବଜ୍ର ଭଳି ଯୁଦ୍ଧାସ୍ତ୍ର ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଭାରତୀୟ ବାୟୁସେନା ପକ୍ଷରୁ ଆକାଶରେ ଶକ୍ତି ପ୍ରଦର୍ଶନ କରାଯାଇଛି । ପାଗ ଖରାପ ସତ୍ୱେ ଆକାଶରେ ଦମ୍ ଦେଖାଇଛି ବାୟୁସେନାର ପ୍ରାୟ ୫୦ ବିମାନ । ରାଫେଲ, ମିଗ୍-୨୯, ସୁଖୋଇ-୩୦, ଏମକେଆଇ-ଜାଗୁଆର, ସି-୧୩୦, ସି-୧୭ହେଲିକପ୍ଟର, ଡୋର୍ନିୟର, ଆପାଚେ, ସାରଙ୍ଗ ଭଳି ଯୁଦ୍ଧ ବିମାନ ଆକାଶରେ ପରାକ୍ରମ ଦେଖାଇଛନ୍ତି ।

ଗଣତନ୍ତ୍ରର ମହୋତ୍ସବରେ ସର୍ବଶେଷରେ କର୍ତବ୍ୟପଥରେ ଫୋର୍ସ ଅଫ୍ ସିଗନାଲର ଡେୟାର ଡେଭିଲ୍ସ ଟିମ୍ ଦ୍ୱାରା ବିଭିନ୍ନ ପ୍ରକାର ମୋଟରସାଇକେଲ ଷ୍ଟଂଟ ଦେଖାଯାଇଥିଲା । ଯାହା ସନ୍ତୁଳନ ଓ ପରାକ୍ରମର ଏକ ନିଦର୍ଶନ । ଏହି ଦୃଶ୍ୟ ଯେତିକି ଚିତାକର୍ଷକ, ସେତିକି ମନମୋହକ ।