କ୍ୟାନସର ବିରୋଧରେ ଏକାଠି ହେଲେ ଯୋଦ୍ଧା: ଭୟ ନୁହେଁ ସଜାଗ କହିବାକୁ ଦେଲେ ବାର୍ତ୍ତା

113

କନକ ବ୍ୟୁରୋ: କ୍ୟାନସର ହୋଇଛି ବୋଲି ଡାକ୍ତରଙ୍କଠୁ ଶୁଣିଲା ମାତ୍ରକେ ଅନେକଙ୍କ ପାଦ ତଳୁ ମାଟି ଖସିଯାଏ । ଜୀବନ ଏଇଠି ସରିଗଲା ବୋଲି ଅନେକ ଭାବିନିଅନ୍ତି । ବନ୍ଧୁ ପ୍ରିୟଜନ ବି ସମ୍ପର୍କ ତୁଟାଇଦିଅନ୍ତି । ଏଥିପାଇଁ କ୍ୟାନସର ହେବା ପରେ ଅନେକ ଲୁଚାଇଥାନ୍ତି । କିନ୍ତୁ ଭୟ ନକରି କ୍ୟାନସର ବିରୋଧରେ ସ୍ୱର ଉଠାଇବା ପାଇଁ ଆରମ୍ଭ ହୋଇଛି ନିଆରା ଅଭିଯାନ ଅନମାସ୍କ କ୍ୟାନସର ।

ମୁହଁରେ ମାସ୍କ ଲଗାଇଥିବା ଏହି ବ୍ୟକ୍ତିମାନେ ହେଉଛନ୍ତି ଜଣେ ଜଣେ ଯୋଦ୍ଧା । ହଁ , ଜୀବନ ଓ ମୃତ୍ୟୁକୁ ଅତିନିକଟରୁ ଦେଖିଛନ୍ତି ଏହି ଯୋଦ୍ଧାମାନେ । କ୍ୟାନସରରେ ପୀଡିତ ହୋଇ ଅନେକ ଜୀବନ ବିତାଉଥିବାବେଳେ ଅନେକ କ୍ୟାନସରକୁ ମାତ୍ ଦେଇ, ପାଇଛନ୍ତି ପୁନର୍ଜୀବନ । ଦିନ ଥିଲା ସମାଜରେ କ୍ୟାନସର ପୀଡିତଙ୍କୁ ଅଣଦେଖା କରାଯାଉଥିଲା । ସମାଜରୁ ବାଛନ୍ଦ କରିବାର ନଜିର ବି ରହିଛି । ଏହି ଭୟରେ କ୍ୟାନସର ପୀଡିତ ରୋଗ ବିଷୟରେ କହିବାକୁ ଭୟ କରୁଥିଲେ । କିନ୍ତୁ ଅନମାସ୍କ କ୍ୟାନସର ଅଭିଯାନରେ ସାମିଲ ହୋଇ ନିଜ ରୋଗ ସମ୍ପର୍କରେ କହିବାକୁ ଆଗେଇ ଆସିଛନ୍ତି କ୍ୟାନସର ଯୋଦ୍ଧା ।

କ୍ୟାନ୍ସର ହେଲେ ଶରୀରର ପୀଡାଠାରୁ ଲୋକଙ୍କ କଥା ଅନେକ କଷ୍ଟ ଦିଏ । ଅନେକ ସମ୍ପର୍କ ତୁଟାଇ ଦିଅନ୍ତି । କିନ୍ତୁ ଏହି ସମୟରେ ପରିବାରଲୋକଙ୍କ ସହଯୋଗ ବଂଚିବା ପାଇଁ ରାହା ଯୋଗାଏ । ଭୁବନେଶ୍ୱରରେ ବିଲଡର ସଂସ୍ଥାରେ କାମ କରୁଥିବା ରାଜେଶ ମଲ୍ଲିକ ଗତ କିଛି ଦିନ ହେବ ଥ୍ରୋଟ କ୍ୟାନସରରେ ପୀଡିତ ହେଇଥିଲେ । ଏହାରି ଭିତରେ ଅନେକ କିଛି ପରିବର୍ତନ ହୋଇଛି, କିନ୍ତୁ ପ୍ରତି ମୁହୂର୍ତରେ ଛାଇ ଭଳି ସାଥିରେ ରହିଛନ୍ତି ପତ୍ନୀ । କ୍ୟାନସର ହେଲେ ଭୟରେ ନରହି ଏହାକୁ ସାମ୍ନା କରିବାକୁ ବାର୍ତା ଦେଇଛନ୍ତି କ୍ୟାନସର ଯୋଦ୍ଧା ସ୍ୱାଗତିକା ।

ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ ଆରମ୍ଭ କରିଛି ଅନମାସ୍କ କ୍ୟାନସର ଅଭିଯାନ । କ୍ୟାନସର ପୀଡିତ ଓ ତାଙ୍କ ପରିବାର ଲୋକଙ୍କ ସହ କ୍ୟାନସର ସମ୍ପର୍କରେ ଆଲୋଚନା କରାଯାଉଛି । କ୍ୟାନସର ହେଲେ ଗୋପନ ନରଖି ଏହା ବିରୋଧରେ ଲଢେଇ କରିବାକୁ ସାହାସ ଯୋଗାଇଛନ୍ତି ବିଶେଷଜ୍ଞ ଡାକ୍ତର ।