କନକ ବ୍ୟୁରୋ: କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦେଶସାରା ଡାକ୍ତରଙ୍କ ପ୍ରତିବାଦ। ଘରୋଇ, ଆବାସିକ ହସ୍ପିଟାଲର ଶହଶହ ଡାକ୍ତର କାମ ଛାଡି ଧାରଣାରେ ବସିଛନ୍ତି । ଗତ ସପ୍ତାହରେ ମହିଳା ଜୁନିୟର ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ବୀଭତ୍ସ ହତ୍ୟା କରାଯାଇଥିବା ଘଟଣାକୁ ବିରୋଧ କରାଯାଉଛି । ସୋମବାର ସାରା ଦେଶରେ ବନ୍ଦ ଡାକରା ଦେଇଥିଲା ଜୁନିୟର ଡାକ୍ତର ସଂଘ । ଶହଶହ ଡାକ୍ତର ଆନ୍ଦୋଳନରେ ବସିଥିବାରୁ ଚିକିତ୍ସାସେବା ବାଧାପ୍ରାପ୍ତ ହୋଇଛି । ଫେଡେରେସନ ଅଫ ଅଲ ଇଣ୍ଡିଆ ରେସିଡେଣ୍ଟ ଡକ୍ଟର ଆସୋସିଏସନ ସହ ସରକାରୀ ହସ୍ପିଟାଲ,ଏମ୍ସ ରେସିଡେଣ୍ଟ ଡାକ୍ତରମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଧାରଣାରେ ବସିଥିବା ଡାକ୍ତରମାନେ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି। ଏହାସହ ମୃତ ଡାକ୍ତରଙ୍କ ପରିବାରକୁ ଅନୁକମ୍ପା ସାହାଯ୍ୟ ରାଶି ଦିଆଯିବା ଓ ସବୁ ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସେମାନେ ଦାବି କରୁଛନ୍ତି।
ସେପଟେ ପଶ୍ଚିମବଙ୍ଗ ସରକାରଙ୍କ ବଡ ନିଷ୍ପତ୍ତି ନେଇଛନ୍ତି । ରବିବାର ସୁଦ୍ଧା ରାଜ୍ୟ ପୁଲିସ ମାମଲାର ତଦନ୍ତ ନସାରିଲେ ସିବିଆଇକୁ ତଦନ୍ତଭାର ଦିଆଯିବ ବୋଲି ମମତା ଘୋଷଣା କରିଛନ୍ତି । ମାମଲାରେ କୋଲକାତାର ମେଡିକାଲ କଲେଜ ଅଧ୍ୟକ୍ଷ ଇସ୍ତଫା ଦେଇଛନ୍ତି। କଲେଜ ସୁପରିଟେଣ୍ଡଙ୍କୁ ହଟାଇ ଦିଆଯାଇଛି । ମାମଲାରେ ଜେରା ପାଇଁ ୩ଜଣ ଡାକ୍ତରଙ୍କୁ ସମନ ମଧ୍ୟ ପଠାଇଛି କୋଲାକାତା ପୁଲିସ ।
କଲିକତାରେ ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କଲେ ଭୁବନେଶ୍ୱର ଏମ୍ସର ଛାତ୍ରଛାତ୍ରୀ। କ୍ୟାଣ୍ଡେଲ ଜାଳି ପ୍ରତିବାଦ ଜଣାଇଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ। ବିଶାଳ ଶୋଭା ଯାତ୍ରାରେ ବାହାରି ସେମାନେ ମୁଖ୍ୟ ଗେଟ ପାଖକୁ ଆସିଥିଲେ। ଡାକ୍ତର ମାନଙ୍କୁ ସୁରକ୍ଷା ସହ ପୀଡିତା ଙ୍କୁ ନ୍ୟାୟ ଦେବା ଓ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି ହୋଇଛି।