କନକ ବ୍ୟୁରୋ: ଭାରତରେ କ୍ୟାନ୍ସର ସୁନାମୀର ଚେତାବନୀ । ଜୀବନଶୈଳୀ ବଦଳାଇବାକୁ ବୈଜ୍ଞାନିକଙ୍କ ଗୁରୁତ୍ୱ। ଏଭଳି ଚେତାବନୀ ଦେଇଛନ୍ତି ଆମେରିକା ଓହିଓ ସ୍ଥିତ କ୍ଲିବଲ୍ୟାଣ୍ଡ କ୍ଲିନିକର ହେମାଟୋଲୋଜି ଆଣ୍ଡ ଆଙ୍କୋଲୋଜି ବିଭାଗର ଅଧ୍ୟକ୍ଷ ଡ. ଜାମେ ଆବ୍ରାହମ୍ । ସେ କହିଛନ୍ତି ଯେ, ଆଗାମୀ ଦିନରେ ଭାରତକୁ କ୍ୟାନ୍ସର ପରି ଘାତକ ରୋଗର ସୁନାମୀକୁ ସାମ୍ନା କରିବାକୁ ପଡିପାରେ । ଏହାର କାରଣ ଗ୍ଲୋବାଲାଇଜେସନ୍, ବର୍ଦ୍ଧିତ ଅର୍ଥବ୍ୟବସ୍ଥା , ହୁ ହୁ ହୋଇ ବଢୁଥିବା ଜନସଂଖ୍ୟା ଓ ଆଧୁନିକ ସମାଜରେ ଲୋକଙ୍କ ଜୀବନଶୈଳୀ ବୋଲି ସେ କହିଛନ୍ତି । ତେଣୁ କ୍ୟାନ୍ସରର ଏଭଳି ବିପଦକୁ ଏଡାଇବାକୁ ଭାରତ ଚିକିତ୍ସା ଜ୍ଞାନକୌଶଳ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ଭାରତରେ କ୍ୟାନ୍ସରର ଟିକା, କୃତ୍ରିମ ଇଣ୍ଟେଲିଜେନ୍ସ ଓ ଡାଟା ଡିଜିଟାଲ ଜ୍ଞାନକୌଶଳକୁ ଆଡଭାନ୍ସ କରିବାକୁ ପଡିବ ବୋଲି ଡ. ଜାମେ ।

Advertisment

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତ ମାସରେ କ୍ୟାନ୍ସର ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା । ଏହା ମୁତାବକ, ଦେଶରେ ୨୦୨୦ରୁ ୨୦୨୨ ମଧ୍ୟରେ କ୍ୟାନ୍ସର ରୋଗୀ ଓ ଏଥିରେ ହେଉଥିବା ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ହୋଇଛି ।

ଭାରତରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା:
୨୦୨୦ରେ ଭାରତରେ ୧୩ .୯୨ ଲକ୍ଷ କ୍ୟାନ୍ସର ରୋଗୀ ଥିବାବେଳେ
୨୦୨୧ରେ ୧୪.୨୬ ଲକ୍ଷ ରେ ପହଞ୍ଚିଥିଲା ।
୨୦୨୨ରେ ଏହା ବଢି ୧୪.୬୧ ଲକ୍ଷରେ ପହଞ୍ଚିଥିଲା ।

କ୍ୟାନ୍ସର ମୃତ୍ୟୁ ହାର:
ଭାରତରେ ୨୦୨୦ରେ କ୍ୟାନ୍ସର ଜନିତ ମୃତ୍ୟୁ ସଂଖ୍ୟା ୭,୭୦ ଲକ୍ଷ ଥିବାବେଳେ
୨୦୨୧ରେ ଏହା ବଢି ୭.୮୯ ଲକ୍ଷରେ ପହଞ୍ଚିଥିଲା ।
୨୦୨୨ରେ କ୍ୟାନ୍ସର ମୃତ୍ୟୁ ସଂଖ୍ୟା ୮.୮ ଲକ୍ଷ ହୋଇଛି ।

ରିପୋର୍ଟ ମୁତାବକ, ଚୀନ ଓ ଆମେରିକା ପରେ କ୍ୟାନ୍ସର ଓ ଏଥିରେ ମୃତ୍ୟୁ ହାରରେ ଭାରତ ତୃତୀୟ ସ୍ଥାନରେ ରହିଛି । ରିପୋର୍ଟ ଅନୁସାରେ ଭାରତରେ ଅଧିକାଂଶ ପୁରୁଷଙ୍କଠାରେ ମୁଖ କ୍ୟାନ୍ସର ଓ ଲଙ୍ଗସ୍ କ୍ୟାନ୍ସର ଦେଖାଯାଉଥିବାବେଳେ ଅଧିକାଂଶ ମହିଳାଙ୍କ ଠାରେ ସ୍ତନ କର୍କଟ ଓ ଗର୍ଭାଶୟ କ୍ୟାନ୍ସର ଦେଖାଯାଉଛି । କେବଳ ୨୦୧୮ରେ ସ୍ତନ କର୍କଟରେ ଦେଶରେ ୮୭ ହଜାର ମହିଳାଙ୍କ ମୃତ୍ୟୁ ହୋଇଥିଲା ।

କ୍ୟାନ୍ସର ଏଭଳି ଏକ ରୋଗ ଯାହାର ନାଁ ଶୁଣିବା ମାତ୍ରେ ହିଁ ଲୋକେ ଭୟଭୀତ ହୋଇପଡନ୍ତି । ଯାହା ରୋଗୀର ମନୋବଳକୁ ଦୁର୍ବଳ କରିଦିଏ । ହେଲେ ଜୀବନଶୈଳୀରେ ପରିବର୍ତ୍ତନ କରିପାରିଲେ ଅନେକାଂଶରେ କ୍ୟାନ୍ସରରୁ ମୁକ୍ତି ମିଳିପାରିବ ବୋଲି ଗବେଷକମାନେ ମତ ପୋଷଣ କରିଛନ୍ତି ।

ଶରୀରରେ କୌଣସି ଅସ୍ୱାଭାବିକ ପରିବର୍ତ୍ତନ ଦେଖାଗଲେ ତାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଜରୁରୀ । ଯଦି କ୍ୟାନ୍ସର ହୋଇଥାଏ ତେବେ କାଳ ବିଳମ୍ବ ନକରି ତାକୁ ଚିକିତ୍ସା କଲେ ମଧ୍ୟ ଏଥିରୁ ମୁକ୍ତି ମିଳିବାର ଅନେକ ନଜିର ରହିଛି ।

ଏହାସହ ସମସ୍ତ ପ୍ରକାର ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ଉଚିତ ।

ତେବେ ଅନେକ ପ୍ରକାର କ୍ୟାନ୍ସରଠାରୁ ରକ୍ଷା ପାଇବାକୁ ବିଶେଷଜ୍ଞ ହେପାଟାଇଟିଜ୍ ବି ଏବଂ ଏଚପିବି ଟିକା ନେବା ନିହାତି ଜରୁରୀ ।

ତେଣୁ ଜୀବନଶୈଳୀ ପରିବର୍ତ୍ତନ ସହ ରେଗୁଲାର ମେଡିକାଲ ଚେକଅପ୍ ସହ ଅତ୍ୟାଧୁନିକ ଡାକ୍ତରୀ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଗଲେ କ୍ୟାନ୍ସର ପରି ଘାତକ ରୋଗକୁ ଅନେକ ମାତ୍ରାରେ ମାତ୍ ଦିଆଯାଇପାରିବ ବୋଲି ଆମେରିକାର ବୈଜ୍ଞାନିକମାନେ କହିଛନ୍ତି ।