କନକ ବ୍ୟୁରୋ : ପାର୍ବଣ ଋତୁ ପାଇଁ ଏବେ ରାଜ୍ୟରେ ସବୁଠି ଚଳଚଞ୍ଚଳ । ଦୁଇ ବର୍ଷ ପରେ ବିନା କଟକଣାରେ ଦୁର୍ଗା ପୂଜା ପାଳନ କରାଯାଉଥିବାରୁ ପୂଜା ମଣ୍ଡପଠୁ ଆରମ୍ଭ କରି ମଲ, ରେଷ୍ଟୁରାଂଟ୍, ରାସ୍ତାଘାଟ ସବୁଠି ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଯଦିଓ କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି ହେଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଭିଡି ଯୋଗୁ ସଂକ୍ରମଣ ପୁଣି ବଢିବାର ଆଶଙ୍କା ଥିବାରୁ ଦୈନିକ ୧୫ ହଜାର କୋଭିଡ୍ ଟେଷ୍ଟିଂ କରିବାକୁ ପରାମର୍ଶ ଦିଆଯାଇଛି ।
ସେଥିମଧ୍ୟରୁ ୪୦ ପ୍ରତିଶତ ଆରଟିପିସିଆର ଟେଷ୍ଟ କରିବାକୁ କୁହାଯାଇଛି । ଜନଗହଳୀପୂର୍ଣ୍ଣ ସ୍ଥାନରୁ ଦୁରେଇ ରହିବା, ମାସ୍କ ପିନ୍ଧିବା, ହାତ ଧୋଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ବାସି ତଥା ପଚା ସଢା କିମ୍ବା ରଙ୍ଗ ଦିଆ ଖାଦ୍ୟ ନ ଖାଇବା ଲାଗି କୁହାଯାଇଛି । ହବିଷ ବ୍ରତ ପାଳନ କରୁଥିବା ମହିଳାଙ୍କୁ ଉଷୁମ ପାଣି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲା ସିଡିଏମଓ, ମୁନସିପାଲଟି କମିଶନର, ଏସପି ଓ କମିଶରେନଟ ପୁଲିସକୁ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଚିଠି ଲେଖିଛନ୍ତି ।