ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ : ୩୦ରୁ ୪୦ କିମି ବେଗରେ ବହିବ ପବନ

549

କନକ ବ୍ୟୁରୋ : ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହେବ । ଘଡ଼ଘଡ଼ି, ବିଜୁଳି ସହ ବର୍ଷା ସାଙ୍ଗକୁ ୩୦ରୁ ୪୦ କିମି ବେଗରେ ପବନ ବହିବ । କିନ୍ତୁ ରାଜ୍ୟର ତାପମାତ୍ରା ଉପରେ ଏହାର ତତ୍‌କ୍ଷଣାତ୍‌ ପ୍ରଭାବ ପଡ଼ିବ ନାହିଁ । ଧୀରେ ଧୀରେ ତାତି କମିବ । ୨ ଦିନ ପରେ ପାରଦ ପ୍ରାୟ ୩ଡିଗ୍ରି ପର୍ଯ୍ୟନ୍ତ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ କେନ୍ଦ୍ର କହିଛି, ରାଜ୍ୟରେ କାଳବୈଶାଖୀ ବର୍ଷାର ବିସ୍ତୃତି ବଢ଼ିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ମେ’ ୨ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ ଓ ଗଜପତି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା‌ ରହିଛି ।

୩ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼ଠାରେ ୪୩.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ୬ ସହରର ତାପମାତ୍ରା ୪୨ଡିଗ୍ରି ଉପରେ ରହିଥିଲା ।