ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ : ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ । ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

269

କନକ ବ୍ୟୁରୋ : ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ମାଡି ଆସୁଥିବା ସାମୁଦ୍ରିକ ଝଡ ‘ଫୋନି’ ଏବେ ପୁରୀଠାରୁ ୪୨୦ କିଲୋମିଟର ଓ ବିଶାଖାପାଟଣାରୁ ୨୧୦ କିମି ଦୂରରେ ରହିଛି । ଏହା ଘଂଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଅପରାହ୍ନ ସାଢେ ୫ଟାରେ ପୁରୀ ଉପକୂଳରେ ସ୍ଥଳଭାଗ ଭାଗ ଛୁଇଁବ ବାତ୍ୟା । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ବାତ୍ୟା ଫୋନି ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଂଟାପ୍ରତି ୧୭୦ରୁ ୧୮୦ କିଲୋମିଟର ରହିପାରେ । ଏହାପରେ ବାତ୍ୟା ଖୋର୍ଦ୍ଧା, କଟକ, ଯାଜପୁର ଓ ଭଦ୍ରକ ଦେଇ ଗତି କରିବ । ପରେ ଭଦ୍ରକରୁ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ମୁହାଁଇବ ବାତ୍ୟା ଫୋନି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ରାଡାର ରେଂଜ୍ ଭିତରକୁ ଆସିଯାଇଛି ବାତ୍ୟା ଫୋନି । ଫଳରେ ବାତ୍ୟାର ଆଗାମୀ ଗତି ଓ ଦିଗ ନେଇ ତୁରନ୍ତ ଏବଂ ସଠିକ୍ ସୂଚନା ମିଳିପାରିବ । ଫୋନି ଯେତିକି ଯେତିକି ଓଡିଶା ଉପକୂଳ ପାଖଉଛି, ପବନର ବେଗ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ସାମୁଦ୍ରିକ ଝଡ ଫୋନି ଓଡିଶା ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଂଟାକୁ ୨୦୫ କିଲୋମିଟର ରହିବ ।