କନକ ବ୍ୟୁରୋ : ବିଶ୍ୱକପରେ ୨ଟି ମ୍ୟାଚରେ ଲଗାତାର ପରାଜୟ ପରେ ୩ୟ ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲରେ ଖାତା ଖୋଲିଛି କଙ୍ଗାରୁ ଦଳ । ଶ୍ରୀଲଙ୍କା ବିପକ୍ଷରେ ସହଜସାଧ୍ୟ ବିଜୟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରୁ ୮ମ ସ୍ଥାନକୁ ଉଠିଛି ଅଷ୍ଟ୍ରେଲିଆ । ୨୧୦ ରନର ବିଜୟ ଲକ୍ଷ୍ୟକୁ ବେଶ ସହଜରେ ହାସଲ କରିଥିଲା ଅଷ୍ଟ୍ରେଲିଆ । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ଣ୍ଣର ସମସ୍ତଙ୍କର ମନ ଜିଣିଛନ୍ତି । ମ୍ୟାଚ୍ ମଝିରେ ଡେଭିଡ ୱାର୍ଣ୍ଣର ଏମିତି କିଛି କରିଥିଲେ ଯାହା କ୍ରିକେଟପ୍ରେମୀଙ୍କ ମନ ଜିଣି ନେଇଥିଲା ।

Advertisment

ଅନେକ ସମୟରେ ମ୍ୟାଚ୍ ମଝିରେ ୱାର୍ଣ୍ଣରଙ୍କ ଅଙ୍ଗଭଙ୍ଗୀ କ୍ରିକେଟପ୍ରେମୀଙ୍କୁ ବେଶ ପସନ୍ଦ ଆସିଥାଏ । ଖାସକରି ଭାରତର ଲୋକପ୍ରିୟ ଫିଲ୍ମର ଗୀତ ବାଜିଲେ ୱାର୍ଣ୍ଣରଙ୍କ ପାଦ ଝୁମି ଉଠେ ଏବଂ କିଛି ଫିଲ୍ମର ଷ୍ଟାଇଲକୁ ମଧ୍ୟ ପଡିଆରେ ପ୍ରଦର୍ଶିତ କରିଥାନ୍ତି ୱାର୍ଣ୍ଣର । ତେବେ ଲକ୍ଷ୍ନୌରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୱାର୍ଣ୍ଣରଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କାର ବ୍ୟାଟିଂ କରୁଥିବା ବେଳେ ମ୍ୟାଚର ୩୩ତମ ଓଭରରେ କିଛି ସମୟ ବର୍ଷା ହୋଇଥିଲା । ଫଳରେ ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡିଥିଲା । ବର୍ଷା କାରଣରୁ ପିଚ୍ ଓ ପଡିଆ ଯେପରି କ୍ଷତିଗ୍ରସ୍ତ ନ ହୁଏ ସେଥିପାଇଁ ଗ୍ରାଉଣ୍ଡସମ୍ୟାନ୍ ତୁରନ୍ତ କଭର ଧରି ଏହାକୁ ଘୋଡାଇବାକୁ ଚେଷ୍ଟା କରିଥିଲେ । ଆଉ ଏହି ସମୟରେ ଗ୍ରାଉଣ୍ଡସମ୍ୟାନଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲେ ୱାର୍ଣ୍ଣର । ଗ୍ରାଉଣ୍ଡସମ୍ୟାନଙ୍କ ସହ ମିଶି ପାଲ ଧରି ଟାଣିବା ସହ ପିଚ୍ ଘୋଡାଇବାରେ ସହଯୋଗ କରିଥିଲେ । ୱାର୍ଣ୍ଣରଙ୍କର ଏହି ଭିଡ଼ିଓ କିଛି ସମୟ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯାହାକୁ କ୍ରିକେଟପ୍ରେମୀ ବେଶ ପସନ୍ଦ ମଧ୍ୟ କରିଛନ୍ତି । ଏପରିକି ଆଇସିସି ପକ୍ଷରୁ ଏହାର ଭିଡିଓ ସେୟାର କରି ୱାର୍ଣ୍ଣରଙ୍କୁ ପ୍ରଂଶସା କରିଛନ୍ତି । ୱାର୍ଣ୍ଣରଙ୍କ ଏଭଳି ଉଦ୍ୟମ ଖେଳୁଆଡ ମନୋଭାବକୁ ଦର୍ଶାଉଛି ବୋଲି କହିଛନ୍ତି କିଛି ୟୁଜର୍ସ ।

ନିଜର ମଜାଦାର ଅନ୍ଦାଜ ପାଇଁ ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ୱାର୍ଣ୍ଣର ବେଶ ଲୋକପ୍ରିୟ । ଏବେ ଗ୍ରାଉଣ୍ଡସମ୍ୟାନଙ୍କୁ ବର୍ଷା ସମୟରେ ସହଯୋଗ କରି ୱାର୍ଣ୍ଣର ଏବେ କ୍ରିକେଟପ୍ରେମୀଙ୍କ ହୃଦୟ ଜିଣି ନେଇଛନ୍ତି । ଚଳିତ ବିଶ୍ୱକପରେ ଏବେ ସୁଦ୍ଧା ଅଷ୍ଟ୍ରେଲିଆର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ୫ଥରର ବିଶ୍ୱକପ ବିଜେତା ଚଳିତ ଥର ୩ଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚରେ ଏଯାବତ ବିଜୟୀ ହୋଇଛି । ତେଣୁ ଅଷ୍ଟ୍ରେଲିଆ ପାଇଁ ସେମିଫାଇନାଲ ଟିକେଟ ହାତେଇବା ଏବେ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।