କନକ ବ୍ୟୁରୋ : ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଡେଭିଡ ୱାର୍ଣ୍ଣର ଟେଷ୍ଟ ଓ ଦିନିକିଆ କ୍ରିକେଟକୁ ଅଲବିଦା କହିଛନ୍ତି । ପାକିସ୍ତାନ ବିପକ୍ଷରେ ନିଜ ଶେଷ ଟେଷ୍ଟ ମ୍ୟାଚ୍ ସିଡନୀରେ ଖେଳିଥିଲେ ୱାର୍ଣ୍ଣର । ତେବେ ଟେଷ୍ଟ ଓ ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ଟି-୨୦ ଖେଳ ଜାରି ରଖିବେ ୱାର୍ଣ୍ଣର । ତେବେ ଏହି ୨ ଫର୍ମାଟରୁ ଅବସର ନେବା ପରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ୱାର୍ଣ୍ଣର କହିଛନ୍ତି, ଭବିଷ୍ୟତରେ ମୁଁ କୋଚ୍ ହେବାକୁ ଚାହୁଁଛି । ନିଜ ଶେଷ ଟେଷ୍ଟ ମ୍ୟାଚରେ ୱାର୍ଣ୍ଣର ଅର୍ଦ୍ଧଶତକ ମାରିଥିବା ବେଳେ ଅଷ୍ଟ୍ରେଲିଆ ଏହି ମ୍ୟାଚରେ ବିଜୟୀ ହୋଇଥିଲା ।
ୱାର୍ଣ୍ଣରଙ୍କୁ ନେଇ ସାଥୀ ଖେଳାଳୀ ଉସମାନ ଖ୍ୱାଜା କହିଛନ୍ତି, କ୍ୟାରିୟର ଆରମ୍ଭରୁ ୱାର୍ଣ୍ଣରଙ୍କୁ ବିପକ୍ଷ ଦଳର ଖେଳାଳୀଙ୍କୁ ସ୍ଲେଜିଙ୍ଗ କରିବାକୁ କୋଚିଙ୍ଗ ଷ୍ଟାଫ୍ କହୁଥିଲେ । ଏକଥାକୁ ୱାର୍ଣ୍ଣର ମଧ୍ୟ ମାନିଛନ୍ତି । ୱାର୍ଣ୍ଣର କହିଛନ୍ତି, ଯେତେବେଳେ ମୁଁ ଟିମକୁ ଆସିଥିଲି ସେତେବେଳେ ବିରୋଧୀ ଖେଳାଳୀଙ୍କୁ ସ୍ଲେଜିଙ୍ଗ କରିବା ସହ ସେମାନଙ୍କର ଧ୍ୟାନ ଭଙ୍ଗ କରିବାର ଦାୟିତ୍ୱ ମୋତେ ମିଳିଥିଲା । ପଡିଆରେ ମଧ୍ୟ ବିପକ୍ଷ ଦଳର ଖେଳାଳୀଙ୍କୁ ଅନେକ ସମୟରେ ସ୍ଲେଜିଙ୍ଗ କରିଛି । ମୋତେ ପ୍ରଥମରୁ ସେହିଭଳି ହିଁ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏବେ ଆଇପିଏଲ ଭଳି ଫ୍ରାଞ୍ଚାଇଜ ଟି-୨୦ ଲିଗରେ ଖେଳାଳୀ ମାନେ ପରସ୍ପର ସହ ଡ୍ରେସିଂ ରୁମ ସେୟାର କରିବା ପରେ ଭବିଷ୍ୟତରେ ସ୍ଲେଜିଂ ଅତୀତ ହୋଇଯିବ ବୋଲି କହିଛନ୍ତି ୱାର୍ଣ୍ଣର । ୱାର୍ଣ୍ଣର ଏଭଳି ଜଣେ ଖେଳାଳୀ ଯିଏ ବିନା ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ।
Follow Us