କନକ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରରେ ବିଗତ କିଛି ଦିନ ହେଲା ସୁରକ୍ଷା ବଳ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା ବଢିଚାଲିଛି । ଆଗକୁ ଏପରି ଆକ୍ରମଣ ବଢିବ ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାବଳ ସୁରକ୍ଷା ଏସଓପିକୁ କଡ଼ାକଡି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

Advertisment

ଗୁଇନ୍ଦା ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଆତଙ୍କବାଦୀମାନେ ୨୦୧୯ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରି ଏକ ବଡ଼ ଧରଣର ଆତ୍ମଘାତି ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଏଥିପାଇଁ ଆଇଇଡିର ଉପଯୋଗ ହୋଇପାରେ । ସୋମବାର ଦିନ ଶ୍ରୀନଗର ଉପକଣ୍ଠରେ ଥିବା ଜେଓ୍ବାନ ଅଞ୍ଚଳରେ ଥିବା ପାନ୍ଥା ଛକ ନିକଟରେ ଏକ ପୁଲିସ ବସ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ୩ ଜଣ ପୁଲିସ କର୍ମୀ ସହିଦ ହୋଇଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ପୁଲିସ ବସଟି ଯାଉଥିବା ବେଳେ ଏସଓପିର ପାଳନ କରାଯାଇନଥିଲା । ବସଟି ବୁଲେଟ ପ୍ରୁଫ ନଥିଲା ଓ ପୁଲିସମାନଙ୍କ ପାଖରେ ରାଇଫଲ ବଦଳରେ ଥିଲା ଲାଠି ଓ ପଥର ମାଡ଼ରୁ ରକ୍ଷା ପାଇବା ପାଇଁ ବ୍ୟବହାର ହେଉଥିବା ଢାଲ ବା ସିଲଡ୍ । ସେମାନେ ନିଜ ନିଜର ଡ୍ୟୁଟି ସାରି ବାରାକକୁ ଫେରୁଥିଲେ ।

ସାଧାରଣତଃ ଏପରି ବସ ସହିତ ଏକ ସଶସ୍ତ୍ର ପୁଲିସ ଗାଡ଼ି ଯାଇଥାଏ । କିନ୍ତୁ ସୁରକ୍ଷା ଏସଓପି ପାଳନ କରାଯାଇନଥିବାରୁ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ସକ୍ଷମ ହେଲେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।  ସେହିପରି ଗତ ଶୁକ୍ରବାର ଜମ୍ମୁ ଓ କାଶ୍ମୀରର ବାନ୍ଦିପୁରାଠାରେ ଥିବା ଗୁଲସନ ଛକ ନିକଟରେ ଆତଙ୍କବାଦୀମାନେ ପୁଲିସ ଗାଡ଼ି ଉପରକୁ ଗୁଳି ଚଳାଇବାରୁ ୨ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ ।