କନକ ବ୍ୟୁରୋ : ବନ୍ଦ ହେବ କି ୩ବର୍ଷ ଧରି ଚାଲିଥିବା ଯୁଦ୍ଧ? ଋଷ-ୟୁକ୍ରେନ ଲଢେଇରେ ଲାଗିବ କି ରୋକ୍? ଯୁଦ୍ଧ ବନ୍ଦ ନେଇ ବାହରିବ କି କିଛି ନିଷ୍କର୍ଷ? ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଆଲସ୍କା ଠାରେ ପରସ୍ପରକୁ ସାକ୍ଷାତ କରିବାକୁ ଯାଉଛନ୍ତି । ଉଭୟଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ଓ ଏଥିରୁ ଆସିବାକୁ ଥିବା ନିଷ୍କର୍ଷ ଉପରେ ସାରା ବିଶ୍ବର ନଜର ରହିଛି । ଭାରତୀୟ ସମୟ ଅନୁଯାୟୀ ରାତି ପ୍ରାୟ ୧ଟା ସମୟରେ ଉଭୟ ନେତାଙ୍କ ମଧ୍ୟରେ ଏହି ବୈଠକ ଆରମ୍ଭ ହେବ । ଋଷ ପ୍ରତିନିଧିମଣ୍ଡଳରେ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ, ରାଷ୍ଟ୍ରପତି ପରାମର୍ଶଦାତା ୟୁରି ଉଶାକୋଭ, ପ୍ରତିରକ୍ଷା ମନ୍ତ୍ରୀ ବେଲୌସୋଭ, ଅର୍ଥମନ୍ତ୍ରୀ ସିଲୁଆନୋଭ ଏବଂ ସ୍ୱତନ୍ତ୍ର ଦୂତ ଦିମିତ୍ରିଭ ପୁଟିନ୍ଙ୍କ ସହ ଏହି ବୈଠକରେ ସାମିଲ ହେବେ । ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିବେ । ୟୁକ୍ରେନ ସହ ଯୁଦ୍ଧ ବନ୍ଦ ଓ ଶାନ୍ତି ସ୍ଥାପନା ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ । ଏହି ବୈଠକରେ ଯୋଗ ଦେବା ପୂର୍ବରୁ ଆମେରିକୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ପୁଟିନଙ୍କ ସହ ଆଲୋଚନାରେ ସକରାତ୍ମକ ଦିଗ ବାହାରକୁ ଆସିବ ବୋଲି ସେ କହିଛନ୍ତି । ଏହା ଶେଷ ବୈଠକ ନୁହେଁ, ପ୍ରକୃତ ଗୁରୁତ୍ୱପୂର୍ଣ୍ଣ ବୈଠକ ସେତେବେଳେ ହେବ ଯେତେବେଳେ ପୁଟିନ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ମୁହାଁମୁହିଁ ବସିବେ । ଏଭଳି ହେଲେ ହିଁ ଯାଇ ଯୁଦ୍ଧ ବନ୍ଦ ହେବ ଓ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଟ୍ରମ୍ପ କହିଛନ୍ତି ।
-ବନ୍ଦ ହେବ କି ୩ବର୍ଷ ଧରି ଚାଲିଥିବା ଯୁଦ୍ଧ?
-ଋଷ-ୟୁକ୍ରେନ ଲଢେଇରେ ଲାଗିବ କି ରୋକ୍?
-ଯୁଦ୍ଧ ବନ୍ଦ ନେଇ ବାହରିବ କି କିଛି ନିଷ୍କର୍ଷ?
-ଆଲସ୍କା ଠାରେ ପରସ୍ପରକୁ ସାକ୍ଷାତ କରିବେ ଟ୍ରମ୍ପ-ପୁଟିନ୍
-ଭାରତୀୟ ସମୟ ଅନୁଯାୟୀ ରାତି ୧ଟା ସମୟରେ ହେବ ସାକ୍ଷାତ
-ଯୁଦ୍ଧ ବନ୍ଦ ନେଇ ଉଭୟ ନେତା କରିପାରନ୍ତି ଆଲୋଚନା
-ଉଭୟଙ୍କ ଆଲୋଚନାରୁ ଆସିବାକୁ ଥିବା ନିଷ୍କର୍ଷ ଉପରେ ସାରା ବିଶ୍ବର ନଜର