କନକ ବ୍ୟୁରୋ : ଗାଜା ଶାନ୍ତି ସମ୍ମିଳନୀରେ ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ପ । ଭାରତ ଗୋଟିଏ ମହାନ ଦେଶ ବୋଲି କହିବା ସହିତ ମୋଦୀଙ୍କୁ ଜଣେ ଭଲ ବନ୍ଧୁ ବୋଲି ଅଭିହିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଇଜିପ୍ଟରେ ଅନୁଷ୍ଠିତ ସମ୍ମିଳନୀରେ ଟ୍ରମ୍ପ ତାଙ୍କର ଅଭିଭାଷଣ ବେଳେ ମୋଦୀଙ୍କ ପ୍ରଶଂସା କରିଛନ୍ତି । ଏହି ସମ୍ମିଳନୀରେ ୨୦ଟି ଦେଶର ପ୍ରତିନିଧି ଯୋଗ ଦେଇଥିଲେ । ଏହା ପୂର୍ବରୁ ମୋଦୀ ଓ ଟ୍ରମ୍ପ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲେ । ଐତିହାସିକ ଗାଜା ଶାନ୍ତି ଯୋଜନା ସଫଳ ହୋଇଥିବାରୁ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୋଦୀ । 

Advertisment

ଗୋଟିଏ ମାସ ମଧ୍ୟରେ ଏହା ହେଉଛି ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍ ଯୋଗେ ଦ୍ବିତୀୟ କଥାବାର୍ତ୍ତା । ଏହି ସମ୍ମିଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ମଧ୍ୟ ଯୋଗ ଦେଇଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ସୁଧାର ଆସିବ ବୋଲି ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି । ଗାଜାରେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି । ୨୦୨୩ ଅକ୍ଟୋବର ୭ ତାରିଖରେ  ଗାଜାରେ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଦୁଇବର୍ଷର ଏହି ଯୁଦ୍ଧରେ ୬୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଅସ୍ତ୍ରବିରତି କାର୍ଯ୍ୟକାରୀ ଆରମ୍ଭ ହେବା ପରେ ହଜାର ହଜାର ପାଲେଷ୍ଟାଇନ ଲୋକ ଗାଜାକୁ ଫେରୁଛନ୍ତି । ହମାସ୍ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।