କନକ ବ୍ୟୁରୋ : ଇରାନ ଉପରେ ଘନଘନ ଆକ୍ରମଣ କରୁଛି ଇସ୍ରାଏଲ । ଏହି ଆକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେଉଛି । କେତେବେଳେ ସହର ଉପରେ ତ କେତେବେଳେ ସରକାରୀ କାର୍ଯ୍ୟାଳୟ ଉପରେ । ଏହାରି ଭିତରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଷ୍ଟୁଡିଓ ଭିତରେ ଖବର ପ୍ରସାରଣ ଚାଲିଥିଲା, ଆଉ ହଠାତ୍ ଆକ୍ରମଣ ହେଲା । ଯିଏ ଯୁଆଡ଼େ ପାରିଲା ଦୌଡ଼ିବାରେ ଲାଗିଲା । ଏପରି ଦୃଶ୍ୟ ଆସିଛି ଇରାନର ରାଜଧାନୀ ତେହେରାନରୁ ।
ଲାଇଭ୍ ବୁଲେଟିନ୍ ଚାଲିଥିଲା ବେଳେ ଆକ୍ରମଣରେ ଥରି ଉଠିଥିଲା ଷ୍ଟୁଡିଓ । ଆକ୍ରମଣ ହୋଇଛି ଇରାନର ସରକାରୀ ମିଡିଆ ଆଇଆରଆଇବି ଉପରେ । ଆକ୍ରମଣର ଠିକ୍ ପୂର୍ବରୁ ଷ୍ଟୁଡିଓରେ ଉପସ୍ଥାପିକା ଖବର ପରିବେଷଣ କରୁଥିଲେ । ବିସ୍ଫୋରଣ ପରେ ସେଠାରୁ ଉଠି ପଳାଇଥିଲେ ଉପସ୍ଥାପିକା । ବଡ଼ କଥା ହେଉଛି, ଇରାନର ସରକାରୀ ମିଡିଆ କାର୍ଯ୍ୟାଳୟ ଉପରେ ଆକ୍ରମଣ ପୂର୍ବରୁ ଇସ୍ରାଏଲ ପୂରା ଅଞ୍ଚଳକୁ ଖାଲି କରିବାକୁ ଚେତାବନୀ ଦେଇଥିଲା । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ, ଇରାନ୍ ଯେଉଁ ଗଣମାଧ୍ୟମ ଦ୍ବାରା ଅପପ୍ରଚାର କରୁଛି, ତାହା ଖୁବଶୀଘ୍ର ଶେଷ ହୋଇଯିବ । ଆଉ ସତକୁ ସତ ଇସ୍ରାଏଲର ଆକ୍ରମଣରେ ପୂରା ଧ୍ବଂସ ହୋଇଯାଇଛି ଷ୍ଟୁଡିଓ ।
ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ରଖିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ସେ କହିଛନ୍ତି, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଶେଷ ହୋଇଯିବ ଯୁଦ୍ଧ । ପୂର୍ବରୁ ଖେମେନେଇଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଇସ୍ରାଏଲ । ଏଥିପାଇଁ ପ୍ଲାନ ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା, କିନ୍ତୁ ଆମେରିକା ଏହା ଉପରେ ଭିଟୋ ପ୍ରୟୋଗ କରିବାରୁ ଏହି ଅପରେସନକୁ ବନ୍ଦ ରଖାଯାଇଥିଲା । ତେବେ ଇରାନ ଉପରେ ଆକ୍ରମଣ ପରେ ଆୟାତୋଲ୍ଲା ଅଲି ଖାମେନେଇ ଭୟରେ ପରିବାର ସହ ବଙ୍କରରେ ଲୁଚିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଏବେ ଖୋଦ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ପରେ ଏହି ଆଶଙ୍କା ଅଧିକ ଘନିଭୂତ ହୋଇଛି ।
ସେପଟେ ଇରାନ ଉପରେ ହେଉଥିବା ଆକ୍ରମଣକୁ ‘ଅପରେସନ ରାଇଜିଂ ଲାୟନ’ନାମ ଦେଇଛନ୍ତି ନେତାନ୍ୟାହୁ । ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବିଫଳ କରିବା ଏବଂ ଇସ୍ରାଏଲର ସୁରକ୍ଷା ନିଶ୍ଚିତ କରିବା ପାଇଁ ଆବଶ୍ୟକ ଥିଲା ବୋଲି ମଧ୍ୟ ସେ କହିଛନ୍ତି । ଇସ୍ରାଏଲୀ ସାମରିକ ବାହିନୀ କହିଛି ଯେ ସେମାନେ ଇରାନର ନାଟାନଜ ପରମାଣୁ ସମୃଦ୍ଧିକରଣ କେନ୍ଦ୍ର ସମେତ ୮୦ରୁ ଅଧିକ ସ୍ଥାନକୁ ଟାର୍ଗେଟ କରିଛନ୍ତି । ଏହା ସହିତ ଇରାନର ଇସଲାମିକ ରେଭୋଲ୍ୟୁସନାରୀ ଗାର୍ଡ କର୍ପସର ଶୀର୍ଷ କମାଣ୍ଡର ହୋସେନ ସାଲାମି, ମୋହାମଦ ବାଘେରୀ ଏବଂ ଅନ୍ୟ ଜଣେ ସାମରିକ ଅଧିକାରୀ ଗୋଲାମାଲୀ ରଶିଦଙ୍କ ସମେତ ନଅ ଜଣ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି । ସେପଟେ ଇରାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ହୋସେନ କେରମାନପୁର କହିଛନ୍ତି ଯେ ଶୁକ୍ରବାରଠାରୁ ଆକ୍ରମଣରେ ୨୨୪ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ୯୦% ନାଗରିକ ଥିଲେ । ଏହା ମଧ୍ୟରେ ୨୦ରୁ ଅଧିକ ଶିଶୁ ରହିଥିବା ଦାବି କରାଯାଇଛି ।