କନକ ବ୍ୟୁରୋ : ଇରାନ-ଇସ୍ରାଏଲ ଯୁଦ୍ଧରେ ଲାଗିଲା ବ୍ରେକ୍ । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ଇରାନ କତାରକୁ ଧନ୍ୟବାଦ ଦେଇଛି । ଇରାନର ଉପ-ବୈଦେଶିକ ମନ୍ତ୍ରୀ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ ପାଇଁ କତାରକୁ କୃତଜ୍ଞତା ଜଣାଇଛନ୍ତି । ଇରାନୀ ସୁରକ୍ଷା ଅଧିକାରୀ କହିଛନ୍ତି, ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପରେ ଇସ୍ରାଏଲ ଉପରେ କୌଣସି କ୍ଷେପଣାସ୍ତ୍ର ମାଡ଼ କରାଯାଇ ନାହିଁ । ସିଏନଏନ ରିପୋର୍ଟ ଅନୁଯାୟୀ, ଇରାନୀ ଅଧିକାରୀ କହିଛନ୍ତି, ଏପର୍ଯ୍ୟନ୍ତ ଶତ୍ରୁ ଉପରେ କୌଣସି କ୍ଷେପଣାସ୍ତ୍ର ମାଡ଼ କରାଯାଇ ନାହିଁ । ସେପଟେ କିନ୍ତୁ ଇସ୍ରାଏଲ କହିଛି, ସକାଳେ ଇରାନ ମିସାଇଲ ଆକ୍ରମଣ କରିଛି ଯେଉଁଥିରେ ୫ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧବିରତି ପରେ, ଇରାନ ଇସ୍ରାଏଲ ଉପରେ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି । ଇସ୍ରାଏଲୀ ସେନା ଏହାର କଡ଼ା ଜବାବ ଦେଇଛି । ଆଇଡିଏଫ୍ ଚିଫ୍ ଅଫ୍ ଷ୍ଟାଫ୍ ଲେଫ୍ଟନାଣ୍ଟ ଜେନେରାଲ ଇୟାଲ୍ ଜମିର କହିଛନ୍ତି, ଇରାନ ଗମ୍ଭୀର ଭାବରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି, ଆମେ ପୂର୍ଣ୍ଣ ବଳ ସହିତ ଜବାବ ଦେବୁ । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ପ୍ରଭାବିତ ହୋଇଥିବା ବିମାନ ସେବା ଏବେ ଧୀରେ ଧୀରେ ସ୍ୱାଭାବିକ ହେଉଛି । ସିରିଆ ଗଣମାଧ୍ୟମ ଅନୁଯାୟୀ, ସିରିଆ ତାର ଆକାଶ ମାର୍ଗକୁ ଖୋଲିଛି । ଏହା ବ୍ୟତୀତ କତାର, ଓମାନ ଏବଂ ଇରାକ ଭଳି ଅନ୍ୟ ଦେଶ ମଧ୍ୟ ସେମାନଙ୍କର ଆକାଶ ମାର୍ଗକୁ ଖୋଲିଛନ୍ତି । ଆମେରିକାର ମଧ୍ୟସ୍ଥତାରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଏକ କଡ଼ା ବୟାନ ଦେଇଛନ୍ତି । ଖାମେନି କହିଛନ୍ତି, ଇରାନ ଏପରି ଏକ ଦେଶ ନୁହେଁ ଯେ ମୁଣ୍ଡ ନୁଆଁଇବ । ଇସ୍ରାଏଲ ଉପରେ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ହେବା ପରେ, ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଏକ କଡ଼ା ଚେତାବନୀ ଦେଇଛନ୍ତି । ଟାଇମ୍ସ ଅଫ୍ ଇସ୍ରାଏଲ ଅନୁଯାୟୀ, କାଟ୍ଜ କହିଛନ୍ତି, ଇରାନ ଆକ୍ରମଣର ଜବାବ ପାଇଁ ଆଇଡିଏଫ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଆମେରିକାର ଅନେକ ପ୍ରମୁଖ ସହର ହାଇ ଆଲର୍ଟରେ ରହିଛି । ଇରାନର ସମ୍ଭାବ୍ୟ ପ୍ରତିଶୋଧମୂଳକ କାର୍ଯ୍ୟକଳାପ ଏବଂ ସାଇବର ଆକ୍ରମଣର ଭୟ ମଧ୍ୟ ଆମେରିକାକୁ ଘାରିଛି । ହାଇ-ଆଲର୍ଟରେ ଥିବା ସହରଗୁଡ଼ିକ ମଧ୍ୟରେ ନିଉୟର୍କ ସିଟି, ୱାଶିଂଟନ ଡିସି, ଲସ ଏଞ୍ଜେଲସ, ସାମ୍ପାଗୋ, ମିଆମି, ହସ୍ଟନ, ଡାଲାସ, ଆର୍ଲିଙ୍ଗଟନ, ବୋକା ରାଟନ, ସାନ୍ଟା କ୍ଲାରା ଏବଂ ସାନ ଡିଏଗୋ ଅନ୍ୟତମ । ନିଉୟର୍କରେ ମେୟର ଏରିକ ଆଡାମସ କହିଛନ୍ତି ଯେ ଯହୁଦୀ ଏବଂ ପାରସୀ ସମ୍ପ୍ରଦାୟ ସହ ଜଡ଼ିତ ସ୍ଥାନଗୁଡ଼ିକରେ ଅତିରିକ୍ତ ପୁଲିସ ମୁତୟନ କରାଯାଇଛି । 

ଯୁଦ୍ଧ ତ ଥମିଛି ହେଲେ କେତେ ଦିନ ତାହା ସମୟ କହିବ ,ଖାମେନିଙ୍କ ରାଗ ନେତ୍ୟାନ୍ୟାହୁଙ୍କ ଜିଦ୍ ଯୁଦ୍ଧକୁ ଆଗକୁ ବଢାଇବ ନାହିଁ ତ? ଯେଉଁ ପରମାଣୁ ପରୀକ୍ଷଣ କେନ୍ଦ୍ର ଯୁଦ୍ଧର କେନ୍ଦ୍ର ବିନ୍ଦୁ ସାଜିଥିଲା ଆମେରିକା ତାକୁ ନଷ୍ଟ କରିଦେଇଛି ହେଲେ ରିପୋର୍ଟ ଅନୁଯାୟୀ ଇରାନ ପରମାଣୁକୁ ସୁରକ୍ଷିତ ସ୍ଥାନରେ ରଖିଛି ।