କନକ ବ୍ୟୁରୋ : ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଘମାଘୋଟ ଲଢେଇରେ ଏଣ୍ଟ୍ରି ମାରିପାରେ ସୁପର ପାୱାର ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ଯୋଜନାକୁ ଅନୁମୋଦନ କରିଛନ୍ତି । ଚୂଡ଼ାନ୍ତ ନିର୍ଦ୍ଦେଶ ପାଇଁ ଅପେକ୍ଷା କରିବାକୁ ସେ ବରିଷ୍ଠ ଅଧିକାରୀ ମାନଙ୍କୁ ଅପେକ୍ଷା କରିବାକୁ କହିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଛି । ଟ୍ରମ୍ପ ତାଙ୍କ ବରିଷ୍ଠ ସହକର୍ମୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏହି ସମୟରେ ସେ ଆକ୍ରମଣକୁ ଅନୁମୋଦନ କରିଥିଲେ ।
ସେ କହିଛନ୍ତି, ଚୂଡ଼ାନ୍ତ ନିର୍ଦ୍ଦେଶ ପରେ ଆକ୍ରମଣ କରାଯିବ, ଏବଂ ଏହି ସମୟରେ ଇରାନ ତାର ପରମାଣୁ କାର୍ଯ୍ୟକ୍ରମ ଛାଡିବାକୁ ରାଜି ଅଛି କି ନାହିଁ ତାହା ଦେଖିବାକୁ ସେ କହିଥିଲେ । ରଏଟର୍ସ ତାଙ୍କ ରିପୋର୍ଟରେ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଖବରକୁ ଉଦ୍ଧୃତ କରି କହିଛି ଯେ ବୈଠକରେ ସାମିଲ ଥିବା ତିନି ଜଣ ବ୍ୟକ୍ତି ରିପୋର୍ଟରେ ଏହା ବିଷୟରେ କହିଛନ୍ତି । ରିପୋର୍ଟରେ କୁହାଯାଇଛି, "ରାଷ୍ଟ୍ରପତି ଆଶା କରୁଛନ୍ତି ଯେ ଇସ୍ରାଏଲର ଆକ୍ରମଣରେ ଯୋଗଦେବାର ଧମକ ଦେଇ ତେହେରାନ ତାର ପରମାଣୁ କାର୍ଯ୍ୟକ୍ରମ ଛାଡିଦେବ।" ସେପଟେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପଙ୍କ ‘ନିଶ୍ଚିତ ଆତ୍ମସମର୍ପଣ’ ଦାବିକୁ ଖାରଜ କରି ଖାମେନେଇ କହିଛନ୍ତି, ଇରାନ କେବେ ହାର ମାନିବ ନାହିଁ ଏବଂ ଆମେରିକାକୁ ଏହାର ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ । ଇସ୍ରାଏଲ ସହ ଚାଲିଥିବା ସଂଘର୍ଷ ମଧ୍ୟରେ ଇରାନର ଫତ୍ତାହ-୧ ହାଇପରସୋନିକ୍ ମିସାଇଲ ପ୍ରକ୍ଷେପଣ ପରେ ଏହି ବୟାନ ଆସିଛି । ଖାମେନେଈ କହିଛନ୍ତି, ଆମେରିକା ଓ ଇସ୍ରାଏଲର ଆକ୍ରମଣାତ୍ମକ ନୀତି ବିପକ୍ଷରେ ଇରାନ ଦୃଢ଼ ରହିବ । ଆମେ ଆତ୍ମରକ୍ଷା ପାଇଁ ଯେ କୌଣସି ପଦକ୍ଷେପ ନେବୁ ।