କନକ ବ୍ୟୁରୋ : ଭାରତରେ ଚାଲିଛି ଫଟାଫଟ୍ କ୍ରିକେଟ୍ ମହାକୁମ୍ଭ ଆଇପିଏଲ୍ । ଆଉ ଏହି ଚର୍ଚ୍ଚିତ ଟୁର୍ଣ୍ଣାମେଣ୍ଟ ଉପରେ ସାରା ବିଶ୍ବବାସୀ ନଜର ରଖିଛନ୍ତି । ନିଜ ନିଜ ମନପସନ୍ଦର ଟିମକୁ ସପୋର୍ଟ କରି ଆଇପିଏଲର ମଜା ନେଉଛନ୍ତି କ୍ରିକେଟ୍ ପ୍ରେମୀ । ହେଲେ ପହଲଗାମ୍ ଆତଙ୍କୀ ହମଲା ପରେ ଏବେ ଆଇପିଏଲର ଭବିଷ୍ୟତକୁ ନେଇ ଅନେକ ଆଶା ଆଶଙ୍କା ଦେଖାଦେଇଛି । ଆତଙ୍କୀ ହମଲାର ପ୍ରତିଶୋଧ ଭିତରେ ଯଦି ଭାରତ-ପାକ୍ ଯୁଦ୍ଧ ହୁଏ ତେବେ ଆଇପିଏଲ୍ ଜାରି ରହିବ ନା ନାହିଁ ? ଜରୁରୀକାଳୀନ ସ୍ଥିତିରେ କ’ଣ କରିବ ବିସିସିଆଇ? ଆସନ୍ତୁ ଜାଣିବା ଜାତୀୟ ସୁରକ୍ଷା ଦୃଷ୍ଟିରୁ କ’ଣ ରହିଛି ନିୟମ?
ଚଳିତବର୍ଷ ଆଇପିଏଲର ୧୮ ତମ ସଂସ୍କରଣ ଜାରି ରହିଛି । ମୋଟ୍ ୧୦ଟି ଟିମ୍ ଏଥିରେ ଭାଗ ନେଇ ଖେଳୁଥିବାବେଳେ ବିଶ୍ବ କ୍ରିକେଟ୍ ଜଗତର ଅନେକ ବିଦେଶୀ ଖେଳାଳିମାନେ ଏହି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି । ଚଳିତଥର ମୋଟ୍ ୬୨ ଜଣ ବିଦେଶୀ ଖେଳାଳି ନିଲାମୀରେ ବିକ୍ରି ହୋଇଥିବାବେଳେ ପ୍ରତିଟି ଦଳ ପାଖରେ ସର୍ବାଧିକ ୧୧ ଜଣ ବିଦେଶୀ ଖେଳାଳିଙ୍କୁ ରିଟେନ୍ ରଖିବାର ନିୟମ ରହିଛି । ତେବେ ପହଲଗାମ୍ ଆତଙ୍କୀ ହମଲା ପରେ ଏବେ ଯଦି ଯୁଦ୍ଧ ହୁଏ ତା’ହେଲେ କ’ଣ କରିବ ବିସିସିଆଇ? ଏସବୁ ପ୍ରଶ୍ନ ଭିତରେ ଜାତୀୟ ଗଣମାଧ୍ୟମରେ ଆଇପିଏଲର ଭବିଷ୍ୟତକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି...
ଯଦି ଭାରତ-ପାକ୍ ମଧ୍ୟରେ ଯୁଦ୍ଧ ହୁଏ ତେବେ ସବୁଠୁ ଅଧିକ ପ୍ରଭାବିତ ହୋଇପାରେ ଆଇପିଏଲ୍ । କାରଣ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଆଇପିଏଲକୁ ସମ୍ପୂର୍ଣ୍ଣ ଭାବେ ରଦ୍ଦ କିମ୍ବା ସ୍ଥଗିତ କରାଯାଇପାରେ । ଯଦି ଯୁଦ୍ଧ ହୁଏ ତେବେ ଅନ୍ତର୍ଜାତୀୟ ଖେଳାଳିଙ୍କ ସୁରକ୍ଷା ଅଧିକ ଚିନ୍ତା ବଢ଼ାଇପାରେ । କାରଣ ବିଦେଶୀ ଖେଳାଳିମାନେ କିଭଳି ସୁରକ୍ଷିତ ଭାବେ ତାଙ୍କ ନିଜ ଦେଶରେ ପହଞ୍ଚିବେ ତାହା ମଧ୍ୟ ଉଭୟ ବିସିସିଆଇ ଓ କେନ୍ଦ୍ର ସରକାରଙ୍କ ଫୋକସ୍ ରହିବ । ଏପରିକି ବିଭିନ୍ନ ଦେଶ ଭାରତ ଗସ୍ତ ନେଇ କିଛି ଟ୍ରାଭେଲ୍ ଆଡଭାଇଜରି ଜାରି କରିପାରନ୍ତି ।
ଏହାବାଦ୍ ଆଇପିଏଲ୍ ଭଳି ମେଗା ଇଭେଣ୍ଟ୍ ପାଇଁ ନିୟୋଜିତ ଥିବା ପୋଲିସ୍ ଏବଂ ଅର୍ଦ୍ଧସାମରିକ ବାହିନୀଙ୍କୁ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର କରାଯାଇପାରେ, ଯାହାଦ୍ବାରା ଆଇପିଏଲ୍ ପରିଚାଳନା ଅସୁବିଧା ଆଶଙ୍କାରେ ମ୍ୟାଚ୍ ଗୁଡ଼ିକ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇପାରେ । ସବୁଠାରୁ ବଡ଼କଥା ହେଲା ଏଭଳି ସମ୍ବେଦନଶୀଳ ସମୟରେ ଯଦି ଯୁଦ୍ଧ ହୁଏ ତେବେ ଜନସାଧାରଣଙ୍କ ଚିନ୍ତାଧାରା ମଧ୍ୟ ପରିବର୍ତ୍ତନ ହୋଇଯିବ ଯାହାଦ୍ବାରା ଆଇପିଏଲ୍ ଭଳି ମନୋରଞ୍ଜନ ଭିତ୍ତିକ ଟୁର୍ଣ୍ଣାମେଣ୍ଟ୍ ପ୍ରଭାବିତ ହୋଇପାରେ । କାରଣ ଲୋକଙ୍କ ଆଖି କେବଳ ଯୁଦ୍ଧ ସମ୍ପର୍କିତ ଖବର ଉପରେ ରହିବ , ଫଳରେ ଆଇପିଏଲ୍ ଦେଖିବାକୁ ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଇପାରେ । ଯାହାକି ଆଇପିଏଲର ଆର୍ଥିକ ବ୍ୟବସାୟିକ କ୍ଷେତ୍ରରେ ବେଶ୍ ପ୍ରଭାବିତ କରିବ ।
ସବୁଠାରୁ ବଡ଼ କଥା ହେଲା ଯଦି ଯୁଦ୍ଧ କାରଣରୁ ମ୍ୟାଚ୍ ଗୁଡ଼ିକୁ ବାତିଲ କିମ୍ବା ପୁନଃନିର୍ଦ୍ଧାରିତ କରାଯାଏ, ତା’ହେଲେ ବ୍ରଡକାଷ୍ଟର୍, ପ୍ରାୟୋଜକ ଓ ଫ୍ରାଞ୍ଚାଇଜ୍ ମାନେ ଅଧିକରୁ ଅଧିକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । ତେବେ ମ୍ୟାଚ୍ ବାତିଲ୍ ହେବା କି ସ୍ଥାନାନ୍ତର ହେବା ଆଇପିଏଲ୍ ଇତିହାସରେ ନୂଆ ଘଟଣା ନୁହେଁ । ଏପରି ଉଦାହରଣ ପୂର୍ବରୁ ମଧ୍ୟ ଦେଖିଛନ୍ତି କ୍ରିକେଟ୍ ପ୍ରେମୀ, ଯେବେ ୨୦୦୯ରେ ଭାରତରେ ସାଧାରଣ ନିର୍ବାଚନ ଓ ସୁରକ୍ଷା କାରଣରୁ IPLକୁ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର କରାଯାଇଥିଲା । ଆଉ କରୋନା ମହାମାରୀ ବେଳେ ସସପେଣ୍ଡ୍ ହୋଇଥିବା ଆଇପିଏଲ୍ ମ୍ୟାଚ୍ ଭାରତ ପରିବର୍ତ୍ତେ ଦୁବାଇରେ ଖେଳାଯାଥିଲା ଏବଂ ଲିଗ୍ ଅଧାରୁ ଅଧିକ ମ୍ୟାଚ୍ ଭାରତ ବାହାରେ ଖେଳିଥିଲେ ବିଭିନ୍ନ ଦଳ ।