କନକ ବ୍ୟୁରୋ: ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନକୁ ପାନେ ଦେବାପାଇଁ ବଳ କଷିଚାଲିଛି ଭାରତ । ଆତଙ୍କୀସ୍ତାନ ବୋଲାଉଥିବା ପାକିସ୍ତାନକୁ ଏଥର ଉଭୟ ହାତରେ ଓ ଭାତରେ ମାରିବାକୁ ସବୁପ୍ରକାରର ବଳ ଲଗାଇଚାଲିଛି ଭାରତ । ପ୍ରଥମେ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରି ପାଣିରେ ପାକିସ୍ତାନକୁ ଶୋଷିଲା ରଖିବା ପ୍ଲାନ୍ ପାଦେ ଆଗେଇବା ପରେ ଏବେ ଆତଙ୍କୀସ୍ତାନର ମେରୁଦଣ୍ଡ ଭାଙ୍ଗିବାକୁ ମାଷ୍ଟରପ୍ଲାନ୍ କରିଛି ଭାରତ । ଏପରିକି ଭାରତର ପ୍ଲାନ୍-ବି ଯଦି ସଫଳ ହୁଏ ତେବେ ବିନା ଗୁଳି, ବୋମାରେ ଧ୍ବଂସ ହୋଇଯିବ ଶତ୍ରୁ ଦେଶ । ଆସନ୍ତୁ ଜାଣିବା ଏହା କେମିତି ହେବ ସମ୍ଭବ?

Advertisment

ଜମ୍ମୁ-କାଶ୍ମୀର ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନଠୁ ପ୍ରତିଶୋଧ ନେବାକୁ ରକ୍ତଚାଉଳ ଚୋବାଉଛି ଭାରତ । ଆତଙ୍କୀଙ୍କ ପାଇଁ ସ୍ବର୍ଗ ପାଲଟିଥିବା ପାକିସ୍ତାନ ଉପରେ ଭିନ୍ନ ଉପାୟରେ ଆକ୍ରମଣ କରିବାକୁ ଘନଘନ ବୈଠକ କରିଚାଲିଛି ଭାରତ । ଆଉ ଏହାରି ଭିତରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ପାକିସ୍ତାନର ମୁଣ୍ଡ ବିନ୍ଧା କଲାଣି । ପାକିସ୍ତାନକୁ ପୁଣିଥରେ ହାତରେ ନୁହେଁ ଭାତରେ ମାରିବାକୁ ଭାରତ ପ୍ଲାନ୍-ବି ପ୍ରସ୍ତୁତ କରିଛି । ଅର୍ଥାତ୍ ପୁଣିଥରେ ପାକିସ୍ତାନକୁ ‘ଗ୍ରେ ତାଲିକା’ରେ ସାମିଲ କରିବା ସହ (ଆଇଏମଏଫ୍) ବା ‘ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି’ ସହାୟତାକୁ ବନ୍ଦ କରିବା ପାଇଁ ସମସ୍ତ ପ୍ରକାରର ବଳ ଲଗାଇଦେଇଛି ଭାରତ ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ, ବିଶ୍ୱବ୍ୟାପୀ ଆତଙ୍କୀ ପାଣ୍ଠି ଏବଂ ମନି ଲଣ୍ଡରିଂ ଉପରେ ନଜର ରଖୁଥିବା ସଂଗଠନ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ୍ ଫୋର୍ସ ବା ( ଏଫଏଟିଏଫ୍)' ଗ୍ରେ ତାଲିକା'ରେ ପାକିସ୍ତାନକୁ ପୁନଃ ଅନ୍ତର୍ଭୁକ୍ତ କରିବା ପାଇଁ ଅନ୍ୟ ସଦସ୍ୟ ଦେଶମାନଙ୍କଠାରୁ ସମର୍ଥନ ସଂଗ୍ରହ କରୁଛି । ପାକିସ୍ତାନ ଜୁନ୍ ୨୦୧୮ ରୁ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ FATF ‘ଗ୍ରେ ତାଲିକାରେ ଥିଲା, ଯାହାକି ପାକ୍ ପାଇଁ ବିଦେଶୀ ନିବେଶ ଏବଂ ପାଣ୍ଠି ଉପରେ ଏକ ବଡ଼ ପ୍ରଭାବ ପକାଇଥିଲା ।

FATFରେ ପ୍ରସ୍ତାବକୁ କେମିତି ଉପସ୍ଥାପନା କରାଯାଏ?

FATFରେ କୌଣସି ଦେଶକୁ ଗ୍ରେ ତାଲିକାରେ ରଖିବା ପାଇଁ ଏକ ଆନୁଷ୍ଠାନିକ ପ୍ରସ୍ତାବ ଆବଶ୍ୟକ, ଯାହାକୁ ସଦସ୍ୟ ଦେଶମାନଙ୍କ ଦ୍ୱାରା ଅନୁମୋଦନ କରିବାକୁ ପଡ଼ିଥାଏ । FATFର ନିଷ୍ପତ୍ତି ଗ୍ରହଣକାରୀ ୟୁନିଟ୍ ଫେବ୍ରୁଆରି, ଜୁନ୍ ଏବଂ ଅକ୍ଟୋବରରେ ବର୍ଷକୁ ତିନିଥର ବୈଠକ କରେ । ଆଉ ଏଥିପାଇଁ ଭାରତକୁ ପର୍ଯ୍ୟାପ୍ତ ଅନ୍ତର୍ଜାତୀୟ ସମର୍ଥନ ଯୋଗାଡ଼ କରିବାକୁ ପଡ଼ିବ । ଯାହା ଏବେ ଭାରତ ପାଇଁ ଅତି ସହଜ ହୋଇଯାଇଛି । କାରଣ ପହଲଗାମ ଆକ୍ରମଣ ପରେ, ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ୟୁରୋପୀୟ କମିଶନ, ସାଉଦି ଆରବ ଏବଂ ୟୁଏଇ ସମେତ FATFର ୨୩ଟି ସଦସ୍ୟ ଦେଶ ଭାରତ ସହ ଛିଡ଼ା ହୋଇଛନ୍ତି ଏବଂ ଆତଙ୍କବାଦ ବିରୁଦ୍ଧରେ ସ୍ବର ଉଠାଇଛନ୍ତି ।

ଭାରତର ଦ୍ୱିତୀୟ ପ୍ଲାନ୍ ହେଉଛି (ଆଇଏମଏଫ୍) ବା ‘ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି’ ବନ୍ଦ କରି ପାକିସ୍ତାନକୁ ଦିଆଯାଉଥିବା ୭ ବିଲିୟନ ଡଲାର ସହାୟତା ଉପରେ ରୋକ୍ ଲଗାଇବା । ଏହି ଆର୍ଥିକ ସହାୟତା ଶତ୍ରୁଦେଶକୁ ୨୦୨୪ ଜୁଲାଇରୁ ଆରମ୍ଭ ହୋଇଛି ଏବଂ ଏହା ୩୭ ମାସ ଯାଏଁ ଜାରି ରହିବାର ଚୁକ୍ତି ହୋଇଛି । ସବୁଠାରୁ ବଡ଼କଥା ହେଲା ଏହି IMF ବୋର୍ଡ ଅଧୀନରେ ଛଅଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୁଏ, ଯାହା ଆଧାରରେ ପାକିସ୍ତାନ ପରବର୍ତ୍ତୀ କିସ୍ତି ପାଇଥାଏ । ଆଉ ଏହି ‘ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି’କୁ ପାକିସ୍ତାନ ଆତଙ୍କବାଦ ଏବଂ ବେଆଇନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଛି ବୋଲି ଭାରତ ବିଶ୍ବସ୍ତରରେ ଅଭିଯୋଗ କରିଛି । ପହଲଗାମ୍ ଆତଙ୍କୀ ହମଲା ପରେ ଭାରତ ମେ' ମାସରେ ହେବାକୁ ଥିବା IMF ବୋର୍ଡ ବୈଠକରେ ଏହି ପ୍ରସଙ୍ଗ ଉଠାଇବାକୁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛି । 

ଖାଲି ଏତିକି ନୁହେଁ ୨୬/୧୧ ଆକ୍ରମଣ ସମୟରେ IMF ମଧ୍ୟ ପାକ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏ ସମ୍ପର୍କରେ IMF ଏବଂ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ଦିଆଯାଇନଥିଲେ ବି ଭାରତ ପୂର୍ବରୁ କହିସାରିଛି ଯେ, FATF ଯୋଗୁଁ ୨୬/୧୧ ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଥିଲା । ଭାରତ ସ୍ପଷ୍ଟ ଭାବରେ କହିସାରିଛି ଯେ, ପାକିସ୍ତାନକୁ ଆତଙ୍କବାଦ ଏବଂ ଏହାର ପାଣ୍ଠି ଯୋଗାଣ ବିରୁଦ୍ଧରେ 'ବିଶ୍ୱସନୀୟତା, ଯାଞ୍ଚଯୋଗ୍ୟ ଏବଂ ଲଗାତାର କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ, ଯାହା ଦ୍ଵାରା ଆତଙ୍କୀଙ୍କୁ ଶରଣ ଦେଉଥିବା ପାକିସ୍ତାନଠୁ ଅନ୍ୟ ଦେଶମାନେ ସୁରକ୍ଷିତ ରହିବେ ।