କନକ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ପାକିସ୍ତାନରେ ଭୟର ବାତାବରଣ । ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଆତଙ୍କବାଦ ବିରୋଧରେ ଭାରତର କଡ଼ା ଆଭିମୁଖ୍ୟ ପାକିସ୍ତାନ ଆଖିରୁ ନିଦ ଛଡାଇ ନେଇଛି । ହେଲେ ପାକିସ୍ତାନ ଉପରେ ଏବେ ବି ବିପଦ ଟଳିନାହିଁ । ସେନା ଟାର୍ଗେଟରେ ୨୧ ଆତଙ୍କବାଦୀଙ୍କ ଆଡ୍ଡା ଥିବା ବେଳେ ୯ଟି ଉପରେ ଏୟାରଷ୍ଟ୍ରାଇକ୍ ହୋଇଛି । ବାକି ୧୨ଟି ଆତଙ୍କବାଦୀଙ୍କ ଶିବିର ଉପରେ ଯେକୌଣସି ସମୟରେ ଏୟାର ଷ୍ଟ୍ରାଇକ୍ କରିପାରେ ଭାରତ ।
ବିଦେଶ ସଚିବ ବିକ୍ରମ ମିସ୍ରିଙ୍କୁ ଜଣେ ବିଦେଶୀ ରାଷ୍ଟ୍ରଦୂତ ପ୍ରଶ୍ନ କରିଥିଲେ, ଭାରତର ଅପରେସନ ପୂରା ହୋଇଗଲା କି ? ଏହାର ଜବାବ ଦେଇ ବିକ୍ରମ ମିସ୍ରି କହିଥିଲେ ଆତଙ୍କୀଙ୍କ କେବଳ ୯ଟି ଆଡ୍ଡା ଉପରେ ଆକ୍ରମଣ ହୋଇଛି । ସେହିପରି ପୂର୍ବତନ ସେନାମୁଖ୍ୟ ମନୋଜ ନରୱେଣ ଅପରେସନ୍ ସିନ୍ଦୂରକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ଫିଲ୍ମ ବାକି ରହିଛି । ତେଣୁ ଅନୁମାନ କରାଯାଉଛି ପୁଣି ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରିପାରେ ଭାରତ ।
ଅପରେସନ ସିନ୍ଦୁରକୁ ନେଇ ସେନା ପକ୍ଷରୁ ହୋଇଥିବା ପ୍ରେସ୍ କନଫରେନ୍ସରେ ୨୧ଟି ଆତଙ୍କବାଦୀଙ୍କ ଶିବିର କଥା ଉଲ୍ଲେଖ କରାଯାଇଛି । କିନ୍ତୁ ମଙ୍ଗଳବାର ରାତିରେ କେବଳ ୯ଟି ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଛି ଭାରତ । ତେଣୁ ବାକି ୧୨ଟି ଆତଙ୍କୀ ତାଲିମ କେନ୍ଦ୍ର ଉପରେ ଆକ୍ରମଣ କରିପାରେ ଭାରତୀୟ ସେନା । ମଙ୍ଗଳବାର ବିଳମ୍ୱିତ ରାତିରେ ସବାଇ କ୍ୟାମ୍ପ, ବିଲାଲ କ୍ୟାମ୍ପ, ଗୁଲପୁର, କୋଟଲି କ୍ୟାମ୍ପ, ବରନାଲା, ମହମୁନ, ସରଜଲ, ମୁରିଦକେ ଓ ବାହାବଲପୁରରେ ଏୟାରଷ୍ଟ୍ରାଇକ ହୋଇଛି । ଭାରତୀୟ ସେନା ଟାର୍ଗେଟରେ ଥିବା ୧୨ଟି ଆତଙ୍କବାଦୀଙ୍କ ଶିବିର ହେଉଛି- ମରକଜ-ଏ-ଅକସା, ଚେଲାବନ୍ଦୀ, ଅବଦୁଲ୍ଲା ବିନ ମସୁଦ, ଦୁଲଇ, ଗଢ଼ି ହବିବୁଲ୍ଲା, ବେଟରାସି, ଓଘି, ବୋଇ, ସେନସା, ବରାଲି ଓ ଡୁଙ୍ଗି ତାଲିମ କେନ୍ଦ୍ର । ତେବେ ଗତକାଲି ରାତିରେ ବି ପାକିସ୍ତାନ ସୀମାରେ ହରକତ୍ କରୁଥିବା ସୂଚନା ମିଳିଛି ।