କନକ ବ୍ୟୁରୋ: ଭାରତକୁ ନାଲିଆଖି ଦେଖାଉଛି ପାକିସ୍ତାନ । ହେଲେ ନିଜେ ସେ ଜାଣିପାରୁନି ତାହାର ସ୍ଥିତି କଣ । କାରଣ ପାଣି ବିନା ସେଠାର ଲୋକେ ତ୍ରାହିତ୍ରାହି ଡାକିଲେଣି । କିନ୍ତୁ କାଙ୍ଗାଳ ପାକିସ୍ତାନ ସେନେଇ ଧ୍ୟାନ ଦେଉନି । ଅର୍ଥାତ୍‌ ପାକିସ୍ତାନର ସ୍ଥିତି ଏବେ ସଙ୍କଟରେ ପହଞ୍ଚିଲାଣି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନର ତାପମାତ୍ରା ପାଖାପାଖି ୪୭ ଡିଗ୍ରୀ ଛୁଇଁଲାଣି । ଥରେ ଚିନ୍ତା କରନ୍ତୁ, ଏତେ ଅଧିକ ଗରମରେ ଭାରତ ଯଦି ଆଗାମୀ ଦିନରେ ପାଣି ନଛାଡ଼େ ତେବେ ପାକିସ୍ତାନର ଅବସ୍ଥା ହେବ କଣ । 

Advertisment

ଭାରତକୁ ନାଲିଆଖି ଦେଖାଇବା ପୂର୍ବରୁ…
ନିଜ ଭୂଗୋଳ କଥା ଚିନ୍ତା କରୁ ପଡ଼ୋଶୀ
ପାକିସ୍ତାନ ସ୍ଥିତି ସଙ୍ଗୀନ
ପ୍ରଭାବିତ ହେବେ ୨୫ କୋଟି ଜନତା

ପାକିସ୍ତାନର ସ୍ଥିତି ଏବେ ସଙ୍ଗୀନ ହେଲାଣି । କାରଣ ତାପମାତ୍ରା ୪୭ ଡିଗ୍ରୀରେ ପହଞ୍ଚିବା ପରେ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି କି ୫୦ ଡିଗ୍ରୀ ବି ଛୁଇଁପାରେ । ଥରେ ଚିନ୍ତା କରନ୍ତୁ ଯଦି ୫୦ ଡିଗ୍ରୀ ତାପମାତ୍ରା ଛୁଇଁବ ତେବେ ପାକିସ୍ତାନ ନିଜ ଲୋକଙ୍କୁ ସମ୍ଭାଳିବ ନା ଭାରତ ସହ ଯୁଦ୍ଧ କରିବ । ଅବଶ୍ୟ ଏହି ଆଲର୍ଟ କେବଳ ପାକିସ୍ତାନକୁ ଦିଆଯାଇଛି ତାହା ନୁହେଁ ବରଂ ଭାରତର ପଶ୍ଚିମ ଅଂଚଳ, ପାକିସ୍ତାନ, ଇରାନ ଓ ସାଉଦି ଆରବ ସହ ଦକ୍ଷିଣ ଏସିଆର ଅନେକ ଦେଶକୁ ଦିଆଯାଇଛି । ତେଣୁ ପ୍ରବଳ ଖରାରେ ପାକିସ୍ତାନର ହାଲତ୍‌ ସେତିକି ମଜଭୁତ ନୁହେଁ କି ଯୁଦ୍ଧ ପାଇଁ ସେ ପ୍ରସ୍ତୁତ ହୋଇପାରିବ । 

ବିଧାତା ବି ପାକିସ୍ତାନ ସହ ଖେଳ କରୁଛି
ସୀମାରେ ଯବାନ , ପାଣି ଟୋପାଏ ପାଉନାହାନ୍ତି

କଥାରେ ଅଛି ବିଧାତା ଯେବେ ଖେଳ ଖେଳିବ ତାହାକୁ କେହି କେବେ ଦେଖିପାରିବ ନାହିଁ । ଠିକ୍‌ ସେମିତି ପାକିସ୍ତାନ ସହ ବୋଧହୁଏ ହେଉଛି । କାରଣ ତାପମାତ୍ରା ସେଠାରେ କ୍ରମାଗତ ଭାବରେ ବଢିବାରେ ଲାଗିଛି । ପାଣିପାଗ ବିଶେଷଜ୍ଞ କହୁଛନ୍ତି, ଜଳବାୟୁ ପରିବର୍ତ୍ତନ ପାଇଁ ଏମିତି ହେଉଛି ଓ ଆଗାମୀ ଦିନରେ ବି ଜାରି ରହିବ ଏମିତି ସ୍ଥିତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆଗାମୀ ଦିନରେ ବି ପାକିସ୍ତାନର ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ହେବ । ଏହାସହ ଅଂଶୁଘାତ ଆଲର୍ଟ ବି ରହିଛି । ତେଣୁ ପାକ୍‌ ସରକାର ଏହାକୁ ନେଇ ଚିନ୍ତାରେ ଅଛନ୍ତି । 

ସରକାର ଉପରେ ବର୍ଷୁଛନ୍ତି ପାକିସ୍ତାନୀ
ତୁରନ୍ତ ମୌଳିକ ସୁବିଧାର ସମାଧାନ ପାଇଁ କଲେ ଦାବି

ଏମିତି ସ୍ଥିତିରେ ପାକିସ୍ତାନର ସ୍ଥିତି ପୂରା ସଙ୍ଗୀନ ହେଲାଣି । ଲୋକେ ଗରମରେ ତ୍ରାହି ତ୍ରାହି ଡାକୁଛନ୍ତି । ତୁରନ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି ବି ହେଉଛି । କୁହାଯାଉଛି କି, ଅନେକ ଅଂଚଳରେ ପାଣି ବି ମିଳୁନି । ତେଣୁ ସମାଧାନ ପାଇଁ ଲୋକେ ସରକାର ଉପରେ ଚାପ ପ୍ରୟୋଗ କରୁଛନ୍ତି । 

ଲୋକଙ୍କୁ ପାଣି ଦେଇପାରୁନି
ଯୁଦ୍ଧ କରିବାକୁ କୁଆଡୁ ଆସିବ ଶକ୍ତି

ପାକିସ୍ତାନର ଏମିତି ସ୍ଥିତି ଦେଖିଲେ ଲାଗୁଛି କି ଖୁବଶୀଘ୍ର ଗୃହ ଯୁଦ୍ଧ ଆରମ୍ଭ ହୋଇଯିବ । ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ପାକ୍‌ ସରକାର । ହେଲେ ଭାରତ ସହ ଯୁଦ୍ଧ କରିବାକୁ ମନ୍ତ୍ରୀମାନେ ଯେଉଁ ବୟାନ ଦେଉଛନ୍ତି ତାହାକୁ ନେଇ ପାକିସ୍ତାନ ଜନତା ବି ନାଖୁସ୍‌ । କହୁଛନ୍ତି, ପାଣି ନାହିଁ,  ଯୁଦ୍ଧ କରିବାକୁ କେମିତି ଭାବୁଛନ୍ତି ସରକାର । ମୋଟ୍‌ ଉପରେ ପାଣି ପାଇଁ ପାକିସ୍ତାନ ହିନସ୍ତା ହେଉଥିବା ବେଳେ କେମିତି ଏହାର ମୁକାବିଲା କରାଯିବ ତାହା ସମୟ କହିବ ।