କନକ ବ୍ୟୁରୋ :ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟିଆ ଯୁଦ୍ଧବିରତି ପାଇଁ ସହମତି ହୋଇଛି । ସୀମାରେ ଉତ୍ତେଜନା ଚରମସୀମାରେ ପହଞ୍ଚିବାରୁ ଉଭୟ ଦେଶ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଏସବୁ ଭିତରେ ପାକିସ୍ତାନକୁ ନେଇ ବଡ ଦାବି କରିଛନ୍ତି ଆଫଗାନିସ୍ତାନ ସେନା । 

Advertisment

ଆଫଗାନିସ୍ତାନ ସେନା ଅନୁଯାୟୀ, ଡୁରାଣ୍ଡ ଲାଇନରେ ଥିବା ପାକିସ୍ତାନର ସୈନ୍ୟ ଆଡ୍ଡାସ୍ଥଳୀକୁ ନଷ୍ଟ କରାଯାଇଛି ଏବଂ ପାକିସ୍ତାନୀ ସେନାକୁ ବନ୍ଦୀ କରାଯାଇଛି । ସେହିଭଳି ପାକିସ୍ତାନର ଅସ୍ତ୍ରଶସ୍ତ୍ରକୁ ନେଇଯାଇଛି ଆଫଗାନ୍ ସେନା । ଉଭୟପକ୍ଷ ମଧ୍ୟରେ ମୁହାଁମୁହିଁ ସ୍ଥିତି ଭିତରେ ପାକିସ୍ତାନ ଅଧିକ କ୍ଷତି ସହିଛି । ତାଲିବାନର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ପାକିସ୍ତାନ କାକୁତିମିନତି ପରେ ଉଭୟ ଦେଶ ମଧ୍ୟରେ ବୁଧବାର ସନ୍ଧ୍ୟା ୫.୩୦ ସମୟରେ ଅସ୍ତ୍ରବିରତି ହୋଇଛି । ତାଲିବାନ ନିଜର ସମସ୍ତ ସେନା ଯବାନଙ୍କୁ ସିଜଫାୟାର ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି । ଦୁଇ ରାଷ୍ଟ୍ର ମଧ୍ୟରେ ହିଂସା ବଢ଼ୁଥିବାରୁ କତର ଓ ସାଉଦି ଆରବ ତୁରନ୍ତ ହସ୍ତକ୍ଷେପ କରିଥିବା ଜଣାପଡ଼ିଛି । ଫଳରେ ବୁଧବାର ସନ୍ଧ୍ୟା ୬ଟାରୁ ୪୮ ଘଣ୍ଟା ପାଇଁ ଅସ୍ଥାୟୀ ଅସ୍ତ୍ରବିରତି ପାଳନ କରିବାକୁ ପାକିସ୍ତାନ ଓ  ତାଲିବାନ ପ୍ରଶାସନ ରାଜି ହୋଇଛନ୍ତି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଥିବା ଏହି ଅସ୍ତ୍ରବିରତି ସମୟସୀମା ମଧ୍ୟରେ ଉଭୟ ପକ୍ଷ ଶାନ୍ତି ଆଲୋଚନା କରିବା ଉପରେ ଗୁରୁତ୍ବାରୋପ କରାଯାଇଛି ।