ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରେଟିକ୍ ପାର୍ଟିର ଅଧ୍ୟକ୍ଷ ମେହବୁବା ମୁଫତି ଭାରତ ଓ ପାକିସ୍ତାନ ଭିତରେ ବଢ଼ିଥିବା ତିକ୍ତତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ମୁଫତି ଦୁଇ ଦେଶକୁ ଅପିଲ୍ କରି କହିଛନ୍ତି ଯେ ‘ତୁରନ୍ତ କଥାବାର୍ତ୍ତା କରନ୍ତୁ ଭାରତ ଓ ପାକିସ୍ତାନ । ଯାହାଦ୍ବାରା ଜମ୍ମୁ-କାଶ୍ମୀର ଭିତରେ ଶାନ୍ତିର ବାତାବରଣ ପୁନଃ ସୃଷ୍ଟି ହୋଇପାରିବ । ସେ କହିଛନ୍ତି ଭାରତ-ପାକିସ୍ତାନ ଯେଉଁ ପର୍ଯ୍ୟନ୍ତ କଥାବାର୍ତ୍ତା ନହେବେ ସେ ପର୍ଯ୍ୟନ୍ତ କାଶ୍ମୀରର ସ୍ଥିତି ବିଗିଡ଼ିବ ।

Advertisment
mufti
mufti Photograph: (google)

ମେହବୁବା ମୁଫତି କହିଛନ୍ତି , ‘ଭାରତ ଉନ୍ନତିର ସିଡ଼ି ଚଢୁଥିବା ବେଳେ ପାକିସ୍ତାନ ଆର୍ଥିକ ରୂପରେ ପଛକୁ ପଛ ଚାଲିଛି । ଦୁଇ ଦେଶକୁ ବିନାଶ ଆଡ଼କୁ ଯିବା ବନ୍ଦ କରିବା ଦରକାର । ଜମ୍ମୁ-କାଶ୍ମୀରର ଲୋକ ଖାସ୍ କରି ସୀମାବର୍ତ୍ତୀ ଅଞ୍ଚଳର ଲୋକ ପ୍ରତିଦିନ ସଂଘର୍ଷ କରୁଛନ୍ତି ।’ ମୁଫତି ସମ୍ବେଦନଶୀଳ ହୋଇ କହିଛନ୍ତି ,‘ଆମ ମା’ ଏମିତି କେତେ ଦିନ ପୀଡ଼ିତା ହୋଇ ରହିଥିବ ? ଆତଙ୍କୀ ଶିବିରକୁ ଧ୍ବଂସ କରିବାର ଆମର ଲକ୍ଷ୍ୟ ପୂରଣ ହୋଇଯାଇଛି । ଏବେ ଏ ଯୁଦ୍ଧ ବନ୍ଦ ହେବା ଦରକାର । ଗଣମାଧ୍ୟମ ଉପରେ ରାଗ ଝାଡ଼ି ପିଡିପି ଅଧ୍ୟକ୍ଷା କହିଛନ୍ତି ,‘ ମିଡିଆ ମିଛ ଖବର କାହିଁକି ପ୍ରସାରଣ କରୁଛି ? ପ୍ରଚାରର ବି ଗୋଟିଏ ସୀମା ଥାଏ , ଦୁଇ ଦେଶରୁ ମିଡିଆ ନକରାତ୍ମକ ଭୂମିକା ତୁଲାଉଛି । ଆମେ ବର୍ତ୍ତମାନ ଯୁଦ୍ଧର ସୀମାରେ ଛିଡ଼ା ହୋଇଛୁ ଏବଂ ଦୁଇ ଦେଶ ପାଖରେ ଶକ୍ତିଶାଳୀ ପରମାଣୁ ଶକ୍ତି ରହିଛି । ମତେ ଡ଼ର ଲାଗୁଛି ଯଦି ଏ ତିକ୍ତତା ପରମାଣୁ ଯୁଦ୍ଧରେ ପରିଣତ ହେଲା ତେବେ ଆଉ କିଛି ରହିବନି । କେବଳ ନିର୍ଦ୍ଦୋଷମାନେ ହିଁ ଏଥିରେ ପ୍ରାଣ ହରାଇବେ । ନିଜେ ବଞ୍ଚ ଏବଂ ଅନ୍ୟକୁ ବଞ୍ଚିବାକୁ ଦିଅ ନୀତିରେ ବିଶ୍ବାସ ରଖିବା ଦରକାର । ପହଲଗାମ ଆତଙ୍କୀ ଆକ୍ରମଣର ଜବାବ୍ ଦିଆଗଲା ଏବେ ଯୁଦ୍ଧ ହେଲେ ସ୍ଥିତି ଆହୁରି ଖରାପ ହେବ । ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ ଏବେ ରାଜନୈତିକ ସମାଧାନ ହିଁ ଗୋଟିଏ ବାଟ ।’