POK Photograph: (Kanak News)
ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସୱାଲ୍ କହିଛନ୍ତି ,‘‘ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ ମୁହଁଭଙ୍ଗା ଜବାବ ଦିଆଯାଇଛି । ପାକିସ୍ତାନ ସହ କେବଳ POK ଫେରସ୍ତ ନେବା ବିଷୟରେ ଆଲୋଚନା ହେବ । ଆମର ଦୀର୍ଘ ଦିନରୁ ଜାତୀୟ ଆଭିମୁଖ୍ୟ ରହିଆସିଛି ଯେ ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ସହ ଜଡିତ ଯେକୌଣସି ପ୍ରସଙ୍ଗ ଭାରତ ଏବଂ ପାକିସ୍ତାନ ଦ୍ୱିପାକ୍ଷିକ ଭାବେ ସମାଧାନ କରିବାକୁ ପଡିବ । ଏହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ବିଚାରଧୀନ ମାମଲା ହେଉଛି ପାକିସ୍ତାନ ଦ୍ୱାରା ବେଆଇନ ଭାବେ ଅଧିକୃତ ଭାରତୀୟ ଅଞ୍ଚଳ POK କୁ ଖାଲି କରିବା ।’’
ରଣଧୀର ଜୟସୱାଲ ମଙ୍ଗଳବାର ଦିନ କହିଛନ୍ତି ଯେ ‘‘ପାକିସ୍ତାନ ସୀମା ପାର୍ଶ୍ୱରୁ ହେଉଥିବା ଆତଙ୍କବାଦକୁ ନିର୍ଭରଯୋଗ୍ୟ ଏବଂ ଅପରିବର୍ତ୍ତନୀୟ ଭାବରେ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବ । ମେ ୭ ତାରିଖରେ ଅପରେସନ୍ ସିନ୍ଦୂର ଆରମ୍ଭ ହେବାଠାରୁ ମେ ୧୦ ତାରିଖରେ ଗୁଳି ବିନିମୟ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ରାଜିନାମା ହେବା ପର୍ଯ୍ୟନ୍ତ ଭାରତୀୟ ଏବଂ ଆମେରିକୀୟ ନେତାଙ୍କ ମଧ୍ୟରେ ଉଭୟ ଦେଶର ସାମରିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ମଧ୍ୟରେ ବାଣିଜ୍ୟ ପ୍ରସଙ୍ଗ ଉଠିନଥିଲା ।’’ ରଣଧୀର ଜୟସୱାଲ କହିଛନ୍ତି, ‘‘ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ବୟାନ ଆମେ ଦେଖିଛୁ । ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଏବଂ ଭାବୁଛି ବଞ୍ଚିଯିବ , ତା’ହେଲେ ପାକିସ୍ତାନଠୁ ବୋକା ବୋଧେ କେହି ନୁହେଁ । ଭାରତ ଯେଉଁ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିଛି, ତାହା କେବଳ ଭାରତୀୟଙ୍କ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱରେ ଅନେକ ନିରୀହ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ଥିଲା । ପାକିସ୍ତାନ ଯେତେ ଶୀଘ୍ର ଏହାକୁ ବୁଝିବ, ତାହା ତାଙ୍କ ପାଇଁ ସେତେ ଭଲ ହେବ ।’’
Follow Us