କନକ ବ୍ୟୁରୋ : ଇସ୍ରାଏଲ୍ ଆକ୍ରମଣର ଏକ ଲୋମଟାଙ୍କୁରା ଘଟଣା ଏବେ ସାମ୍ନାକୁ ଆସିଛି । ଖବର ସଗ୍ରହ କରୁ କରୁ ଖବର ପାଲଟିଯାଇଛନ୍ତି ୫ ସାମ୍ବାଦିକ । ଆକାଶରୁ ମୁଣ୍ଡ ଉପରେ ଖସିଛି ମୃତ୍ୟୁ । ଘଟଣାସ୍ଥଳରେ ହିଁ ଚାଲିଯାଇଛି ୫ ଖବରଦାତାଙ୍କ ଜୀବନ । 

ଗାଜାରେ ଇସ୍ରାଏଲର ଆକ୍ରମଣରେ ପାଞ୍ଚ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ମଧ୍ୟରେ କାତାରର ମିଡିଆ ହାଉସ୍ ଅଲ ଜାଜିରାର ଅନାସ ଅଲ-ଶରିଫ ମଧ୍ୟ ଥିଲେ । ଗାଜା ସହରର ଅଲ-ଶିଫା ହସ୍ପିଟାଲ ନିକଟରେ ସାମ୍ବାଦିକମାନଙ୍କ ପାଇଁ ନିର୍ମିତ ଏକ ତମ୍ବୁ ଉପରେ ଇସ୍ରାଏଲର ମିଜାଇଲ୍ ପଡ଼ିଥିଲା । ଆଉ ସେହି ତମ୍ବୁରେ ଉପସ୍ଥିତ ୫ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା । 

Advertisment

ରିପୋର୍ଟ ଅନୁଯାୟୀ, ଗତ ରବିବାର ବିଳମ୍ବିତ ରାତିରେ ଗାଜା ସହରର ଅଲ୍-ଶିଫା ହସ୍ପିଟାଲର ମୁଖ୍ୟ ଫାଟକ ବାହାରେ ଥିବା ଏକ ତମ୍ବୁ ଉପରେ ହୋଇଥିବା ଆକ୍ରମଣରେ ୭ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ଅଲ୍ ଜଜିରା ପ୍ରତିନିଧି ମହମ୍ମଦ କରେଇକେ ଏବଂ କ୍ୟାମେରାମ୍ୟାନ୍ ଇବ୍ରାହିମ୍ ଜାହିର, ମହମ୍ମଦ ନୌଫାଲ୍ ଏବଂ ମୋଆମିନ୍ ଅଲିୱା ଥିଲେ ।

ଅଲ ଜାଜିରାର ପ୍ରତିକ୍ରିୟା 
ଇସ୍ରାଏଲୀ ଆକ୍ରମଣ ସମ୍ପର୍କରେ, ଅଲ ଜାଜିରାର ଅନସ ଅଲ-ଶରିଫ ତାଙ୍କ ଶେଷ ପୋଷ୍ଟରେ ଲେଖିଛନ୍ତି, "ଯଦି ମୋର ଏହି କଥାଗୁଡ଼ିକ ତୁମ ପାଖରେ ପହଞ୍ଚେ, ତେବେ ଜାଣ ଯେ ଇସ୍ରାଏଲ ମୋତେ ହତ୍ୟା କରିବାରେ ଏବଂ ମୋ ସ୍ୱରକୁ ଦମନ କରିବାରେ ସଫଳ ହୋଇଛି, କିନ୍ତୁ ଗାଜାକୁ ଭୁଲିଯାଅ ନାହିଁ" । ଅଲ ଜାଜିରା ଏକ ସ୍ଥାନୀୟ ହସ୍ପିଟାଲର ମୁଖ୍ୟଙ୍କୁ ଉଦ୍ଧୃତ କରି କହିଛି ଯେ ଗାଜା ସହରରେ ସେମାନଙ୍କ ତମ୍ବୁ ଉପରେ ଇସ୍ରାଏଲୀ ଆକ୍ରମଣରେ ଏହାର ୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ।
ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆନାସଙ୍କୁ ଜଣେ ଆତଙ୍କବାଦୀ ବୋଲି ବର୍ଣ୍ଣନା କରିଛି । ଇସ୍ରାଏଲୀ ସେନାର ଏକ ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଇଛି ଯେ ହମାସ ଆତଙ୍କବାଦୀ ଆନାସ ଅଲ-ଶରିଫ, ଯିଏ ନିଜକୁ ଅଲ ଜାଜିରାର ସାମ୍ବାଦିକ ବୋଲି କହିଥିଲେ, ସେ ଏକ ହମାସ ଆତଙ୍କବାଦୀ ଗୋଷ୍ଠୀର ମୁଖ୍ୟ ଥିଲେ ଏବଂ ଇସ୍ରାଏଲୀ ନାଗରିକ ଏବଂ IDF ସୈନିକଙ୍କ ଉପରେ ରକେଟ ଆକ୍ରମଣ କରିଥିଲେ ।