କନକ ବ୍ୟୁରୋ : ଗାଜାରେ ସ୍ଥିତି ଅତି ଭୟଙ୍କର, ଗାଜାକୁ ଛାରଖାର କରିସାରିଲାଣି ଇସ୍ରାଏଲ୍ । ରକେଟ୍ ମାଡ଼ ପରେ ରକେଟ୍ ମାଡ଼ ହେଉଛି । ଗୋଟିଏ ପରେ ଗୋଟିଏ ସ୍ଥାନ ଧ୍ବଂସସ୍ତୂପ ପାଲଟୁଛି । ଏଥିରୁ ଡାକ୍ତରଖାନା ବି ବର୍ତ୍ତିନି । ମିସାଇଲ୍ ମାଡ଼ରେ ଅନେକ ଡାକ୍ତରଖାନାବି ମାଟିରେ ମିଶିଲାଣି । ଯେଉଁ କେତୋଟି ଡାକ୍ତରଖାନା ରହିଯାଇଛି ତାହା ଆଶା ଭାରସାର କେନ୍ଦ୍ର ହୋଇ ରହିଛି, କିନ୍ତୁ ସେଠାରେବି ସ୍ଥିତି ଅତି ସଂଗିନ, ସେହି ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ପ୍ରାୟ ଅସମ୍ଭବ ସ୍ଥିତିରେ ପହଞ୍ଚିଲାଣି । ଚିକିତ୍ସା ଉପକରଣ ଓ ଔଷଧ ସରି ସରି ଆସୁଥିବା ବେଳେ, ବେଡରେ ପଡ଼ି ପଡ଼ି ରୋଗୀ ମୃତ୍ୟୁକୁ ଅପେକ୍ଷା କରି ରହୁଛନ୍ତି । ପୁଷ୍ଟିହୀନତା, କ୍ଷୁଧା ଓ ଯୁଦ୍ଧରେ କ୍ଷତାକ୍ତ ଶିଶୁଙ୍କ ଅବସ୍ଥା ବିଚଳିତ କରିଦେବ । ସବୁଠୁ ଚିନ୍ତାଜନକ କଥା ହେଉଛି, ଡାକ୍ତରଖାନା କର୍ମଚାରୀ ଓ ଖୋଦ୍ ଡାକ୍ତରମାନେ ଏବେ ଭୋକରେ ଆଉଟୁପାଉଟୁ ହେଉଛନ୍ତି । ଖାଦ୍ୟ ବିନା ସେମାନେ ଏତେ ଦୁର୍ବଳ ଅନୁଭବ କରୁଛନ୍ତି ଯେ ରୋଗୀଙ୍କ ଚିକତ୍ସା ତ ପଛକଥା, ଛିଡ଼ା ହେବା ପାଇଁ ମଧ୍ୟ ଶକ୍ତି ପାଉନାହାନ୍ତି । 

Advertisment

ଗାଜାର ଅନ୍ୟତମ ସର୍ବବୃହତ ଡାକ୍ତରଖାନା ଅଲ୍-ସିଫା ହସ୍ପିଟାଲର ନିର୍ଦେଶକ ଡା. ମହମ୍ମଦ ଅବୁ ସେଲ୍‌ମିଆଙ୍କ କହିବା ଅନୁସାରେ, ଗାଜାରେ ୯୪ ପ୍ରତିଶତ ହସ୍ପିଟାଲ ଧ୍ୱଂସ ହୋଇଯିବା ଫଳରେ ସେଠାରେ ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ମୋଟ ୩୬ ମଧ୍ୟରୁ ମାତ୍ର ୧୯ଟି କଷ୍ଟେମଷ୍ଟେ ଚାଲିଛି । ଆକ୍ରମଣରେ ଅଲ୍-ସିଫା ଡାକ୍ତରଖାନା ଧ୍ଵସ୍ତବିଧ୍ୱସ୍ତ ହୋଇପଡ଼ିଛି । ଅସ୍ଥାୟୀ ଶିବିରରେ ଚିକିତ୍ସା ଚାଲିଛି । ସେଠାରେ ଜୀବନ ରକ୍ଷାକାରୀ ଔଷଧ କିମ୍ବା ଚିକିତ୍ସା ସରଞ୍ଜାମର ଘୋର ଅଭାବ ଲାଗିରହିଛି । ଆଶୁ ଚିକିତ୍ସା ୱାର୍ଡ କିମ୍ବା ଅସ୍ତ୍ରୋପଚାର ଗୃହ ନାହିଁ । ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଡାକ୍ତର ଓ କର୍ମଚାରୀ ସେବା ଯୋଗାଉଛନ୍ତି । ସେମାନଙ୍କୁ କ୍ରମାଗତ ୨୪ ଘଣ୍ଟା ଧରି କାର୍ଯ୍ୟରତ ହେବାକୁ ପଡ଼ୁଛି । କାର୍ଯ୍ୟକ୍ଷେତ୍ରର ଏତେ ଚାପ ପଡ଼ୁଛି ଯେ ଖାଇବାକୁ ମଧ୍ୟ ସମୟ ମିଳୁନି । ଅତ୍ୟଧିକ କାର୍ଯ୍ୟଚାପ ଓ ଖାଦ୍ୟାଭାବ ଯୋଗୁଁ ଅନେକ ସମୟରେ ଡାକ୍ତର ଓ କର୍ମଚାରୀ ଅଚେତ ହୋଇପଡୁଛନ୍ତି । ଏମିତି କି ଅସ୍ତ୍ରୋପଚାର ସମୟରେ ଅନେକ ଅଚେତ ହୋଇପଡୁଛନ୍ତି । ପୂର୍ବରୁ କାର୍ଯ୍ୟ ସମୟରେ ଡାକ୍ତର ଓ କର୍ମଚାରୀଙ୍କୁ ଖାଦ୍ୟ ମିଳୁଥିଲା; କିନ୍ତୁ ଏବେ ମିଳୁନାହିଁ । ଏଭଳି ସ୍ଥିତିରେ ଛିଡ଼ା ହେବାକୁ ଆମର ଶକ୍ତି ନାହିଁ ବୋଲି କହିଛନ୍ତି ଡା.ସେଲ୍‌ମିଆ । ଦିନକରେ ସେ ବିନା ଖାଦ୍ୟରେ ୬୦ ସ୍ନାୟୁଶଲ୍ୟ ରୋଗୀଙ୍କ ଚିକିତ୍ସା କରିବା ପରେ ଛିଡ଼ା ହେବାର ଶକ୍ତି ହରାଇଛନ୍ତି । ସେ ଏକା ନୁହନ୍ତି, ଅନେକଙ୍କ ଅବସ୍ଥା ସେମିତି ବୋଲି ସେ କହିଛନ୍ତି ।

ସେହି ଡାକ୍ତରଖାନାର ଅନ୍ୟ ଜଣେ ଡାକ୍ତରଙ୍କ କହିବାନୁସାରେ ପ୍ରାୟ ଦୁଇ ଦିନ ହେଲା ସେ କିଛି ଖାଇବାକୁ ପାଇନାହାନ୍ତି । ତାଙ୍କର ଆଉ ଚଲାବୁଲା କରିବା ପାଇଁ ବି ଶକ୍ତି ନାହିଁ । ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଭୋକରେ ରହିଛନ୍ତି । ସେ କାର୍ଯ୍ୟକ୍ଷେତ୍ରରୁ ଛୁଟି ନେଇପାରୁନାହାନ୍ତି, ବଜାରରେ ମଧ୍ୟ କିଛି ଖାଦ୍ୟପଦାର୍ଥ ମିଳୁନାହିଁ । ପରିବାରକୁ କେମିତି କିଛି ଖାଦ୍ୟ ପଠାଇବେ ସେଥ‌ିନେଇ ସେ ଚିନ୍ତିତ । ଜାତିସଂଘ ପକ୍ଷରୁ ମଧ୍ୟ ଏଭଳି ଅବସ୍ଥାକୁ ସ୍ଵୀକାର କରାଯାଇଛି । ଚିକିତ୍ସା ସମୟରେ ବହୁ ଡାକ୍ତର ଓ କର୍ମଚାରୀ ଚେତା ହରାଉଛନ୍ତି ଓ ଖାଦ୍ୟ ଅଭାବ ଏହାର କାରଣ ବୋଲି ଏକ ବିବୃତିରେ କହିଛନ୍ତି ୟୁଏନ୍‌ଆରଡବ୍ଲ୍ୟୁଏ ମୁଖ୍ୟ ।