କନକ ବ୍ୟୁରୋ : ଆମେରିକାର ଦୋମୁହାଁନୀତି । ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ନିନ୍ଦା କରୁଛି । ଗୋଟିଏପଟେ ଆଜି ପାକିସ୍ତାନ ଫିଲ୍ଡ ମାର୍ଶଲ ଅସୀମ ମୁନୀରଙ୍କୁ ୟୁଏସ ପରେଡ ପାଇଁ ନିମନ୍ତ୍ରଣ କରୁନଥିବା କହୁଛି ସେପଟେ ଆଜି ମୁନୀରଙ୍କ ସହ ଏକାଠି ବସି ଭୋଜନ କରିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଭେଟିବାକୁ ଯାଉଛନ୍ତି । ଏହି ଭେଟଘାଟକୁ ଦୁଇଟି ଦିଗରେ ବେଶ ଗୁରୁତ୍ବପୂର୍ଣ୍ଣ ଦୃଷ୍ଟିରେ ଦେଖାଯାଉଛି । ଗୋଟେପଟେ ଭାରତ ପାକିସ୍ତାନ ତିକ୍ତତା ଓ ଅନ୍ୟପଟେ ଇରାନ-ଇସ୍ରାଏଲ ବିବାଦ । ଏହା ଭିତରେ ମୁନୀରଙ୍କ ଆମେରିକା ଗସ୍ତ ଉଭୟ ଭାରତ ଓ ଆମେରିକା ପାଇଁ ଗୁରୁତ୍ବ ବହନ କରୁଛି । ସେପଟେ ଆମେରିକାରେ ପାକିସ୍ତାନ ଫିଲ୍ଡ ମାର୍ଶଲ ଯିବା, ଟ୍ରମ୍ପଙ୍କ ସହ ମଧ୍ୟାହ୍ନ ଭୋଜନ ଓ ବୈଠକ ଖବରରୁ ନେଇ ଭାରତରେ ରାଜନୀତି ଜୋର ଧରିଲାଣି । ବିରୋଧୀ ମୋଦୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେଣି । ଯଦି ଭାରତ ଆମେରିକାକୁ ମିତ୍ର ରାଷ୍ଟ୍ର କହୁଛି ତେବେ ଭାରତର ସବୁଠୁ ବଡ ଶତ୍ରୁ ଦେଶର ଫିଲ୍ଲ ମାର୍ଶଲଙ୍କ ସହ ଟ୍ରମ୍ପଙ୍କ ବୈଠକ ଓ ଭୋଜନ କେତେଦୂର ଗ୍ରହଣୀ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ।
ସେପଟେ ସୋମବାର ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟଙ୍କୁ ୱାଶିଂଟନ ଡିସିରେ ବିଶାଳ ପ୍ରତିବାଦର ସମ୍ମୁଖୀନ ହେବାକୁ ପଡିଥିଲା । ଆମେରିକାରେ ରହୁଥିବା ପାକିସ୍ତାନୀମାନେ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ, ଯାହା ମୁନୀରଙ୍କୁ ସ୍ୱାଗତ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ନଷ୍ଟ କରିଦେଇଥିଲା । ସୋସିଆଲ ମିଡିଆରେ ସେୟାର ହେଉଥିବା ଭିଡିଓରେ ମୁନୀରଙ୍କ ବିରୋଧରେ 'ପାକିସ୍ତାନୀର ହତ୍ୟାକାରୀ' ଏବଂ 'ଇସଲାମାବାଦର ହତ୍ୟାକାରୀ' ଭଳି ସ୍ଲୋଗାନ ଦିଆଯାଇଥିଲା ।
ଅସୀମ ମୁନୀର ରବିବାର ଦିନ ପାଞ୍ଚ ଦିନିଆ ସରକାରୀ ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି । ମୁନୀର ଆମେରିକା ସହିତ ରଣନୈତିକ ସମ୍ପର୍କକୁ ମଜବୁତ କରିବାକୁ ଚାହୁଁଥିବା ଜଣାପଡ଼ିଛି । ପୂର୍ବରୁ ଗୁଜବ ଥିଲା ଯେ, ପାକିସ୍ତାନୀ ସେନା ମୁଖ୍ୟ ଆମେରିକା ସେନା ଦିବସରେ ପରେଡରେ ଯୋଗଦେବେ । ତଥାପି, ହ୍ୱାଇଟ୍ ହାଉସ ଏହାକୁ ଆନୁଷ୍ଠାନିକ ଭାବରେ ଅସ୍ୱୀକାର କରିଥିଲା ଏବଂ ଏହାକୁ ମିଥ୍ୟା ବୋଲି କହିଥିଲା । ହ୍ୱାଇଟ୍ ହାଉସ କହିଥିଲା, 'ପରେଡକୁ କୌଣସି ବିଦେଶୀ ସାମରିକ ନେତାଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା ।' ତଥାପି, ଏବେ ମୁନୀର ଏବଂ ଟ୍ରମ୍ପ୍ ହ୍ୱାଇଟ୍ ହାଉସରେ ସାକ୍ଷାତ କରିବାକୁ ଯାଉଛନ୍ତି ।