1 PAHALGAM AND PAKISTAN Photograph: (Kanak News )
କନକ ବ୍ୟୁରୋ: ଛାନିଆ ସହ ବିଚଳିତ ପାକିସ୍ତାନ । ଭାରତର କାର୍ଯ୍ୟାନୁଷ୍ଠାନ ଭୟରେ ବୈଠକ ପରେ ବୈଠକ ବସୁଛି ପାକିସ୍ତାନରେ । ଆଉ ବୈଠକ ସରିବା ପରେ ବାହାଦୁରିଆ ପାକ୍ ମନ୍ତ୍ରୀ ଓ ଅଧିକାରୀ ଫୁଟାଣିଆ ଗପ ମାରୁଛନ୍ତି ଏବଂ ଭାରତ ବିରୋଧରେ ମତ ରଖୁଛନ୍ତି ।
ପୁଣି ପାକିସ୍ତାନରେ ବସିଥିଲା ବଡ଼ ବୈଠକ । ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଦାର୍ ଓ ଇଣ୍ଟର୍-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ୍ ଜେନେରାଲ ଅହମଦ ସରିଫ୍ ଚୌଧୁରୀ ମିଳିତ ସାମ୍ବାଦିକ ସମ୍ମିଳନୀରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ବଡ଼ ବୟାନ ଦେଇଛନ୍ତି । ଇଶାକ୍ ଦାର୍ ଭାରତର ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରି କହିଛନ୍ତି, ପହଲଗାମ ଘଟଣା ସହ ପାକିସ୍ତାନର କୌଣସି ସମ୍ପର୍କ ନାହିଁ । ଭାରତ ଏହି ଅଭିଯୋଗ ମାଧ୍ୟମରେ ପାକିସ୍ତାନରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ପାକ୍ ଉପପ୍ରଧାନମନ୍ତ୍ରୀ କହିଛନ୍ତି । ଡିଜି ଆଇଏସ୍ପିଆର ଚୌଧୁରୀ ମଧ୍ୟ ଭାରତ ଉପରେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବାର ଅଭିଯୋଗ ଆଣିଛନ୍ତି, କହିଛନ୍ତି ଆମେ ସମସ୍ତ ପ୍ରକାର ସମ୍ଭାବ୍ୟ ଆକ୍ରମଣ ପାଇଁ ପ୍ରସ୍ତୁତ, ପାକିସ୍ତାନ ନିଜର ସାର୍ବଭୌମତ୍ଵ ରକ୍ଷା କରିବା ଜାଣିଛି ବୋଲି ଭାରତକୁ ଧମକ ଶୁଣାଇଛନ୍ତି ଦାର୍ ।
ପାକ୍ ଉପପ୍ରଧାନମନ୍ତ୍ରୀ ଦାର୍ ବୈଠକ ପରେ କହିଛନ୍ତି, ଆମେ ପ୍ରଥମେ କୌଣସି ଆକ୍ରମଣ କରିବୁ ନାହିଁ କିନ୍ତୁ ଭାରତ ଯଦି କୌଣସି ପଦକ୍ଷେପ ନିଏ ତାହାର ଦୃଢ଼ ଜବାବ ଦିଆଯିବ । ସାମ୍ବାଦିକ ସମ୍ମିଳନୀ ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ହୋଇଛି । ଭାରତ ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଇଣ୍ଡସ୍ ଜଳ ଚୁକ୍ତି ସ୍ଥଗିତ, ଭିସା ନିଷେଧ ଓ କୂଟନୈତିକ କର୍ମଚାରୀ ହ୍ରାସ କରିଛି । ପାକିସ୍ତାନ ଜାତିସଂଘ ଓ ଅନ୍ୟ ଅନ୍ତର୍ଜାତୀୟ ମଞ୍ଚରେ ଏହି ବିଷୟ ଉଠାଇବାକୁ ଚେଷ୍ଟା କରୁଛି, ଯେଉଁଠାରେ ପାକିସ୍ତାନ ନିଜକୁ ନିରୀହ ଦର୍ଶାଇବାକୁ ଚାହୁଛି କିନ୍ତୁ ପାକିସ୍ତାନର ସବୁ ଚାଲ ସବୁଥର ପରି ଏଥର ବି ଫେଲ୍ ମାରିବ ।
Follow Us