କନକ ବ୍ୟୁରୋ : ଜାରି ରହିଛି ଇରାନ ଇସ୍ରାଏଲ ଯୁଦ୍ଧ । ଘନଉଛି ମଧ୍ୟପ୍ରାଚ୍ୟ ଉତ୍ତେଜନା । ଏହା ଭିତରେ ଇରାନ ଓ ଇସ୍ରାଏଲ ସମର୍ଥନ ଓ ବିରୋଧରେ ବାହାରିଛନ୍ତି ବିଭିନ୍ନ ଦେଶ । ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଯେଉଁଠି ଇସ୍ରାଏଲ ସପକ୍ଷରେ ବାହାରିଛି ସେଠି ଇରାନର ବଳ ବଢ଼ାଇଲେଣି ଋଷ ଓ ଚୀନ । ଅନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବ୍ୟାକଫୁଟରେ ରହିଛି ଚୀନ ଇରାନକୁ ବଡ ସାମରିକ ସହାୟତା କରୁଛି । କାର୍ଗୋ ବିମାନରେ ଇରାନକୁ ଯୁଦ୍ଧାସ୍ତ୍ର ପଠାଇଛି ଚୀନ । ଏହା ଯୋଗୁଁ ଯୁଦ୍ଧ ତୀବ୍ର ରୂପ ନେଇପାରେ । ଯୁଦ୍ଧାସ୍ତ୍ରରେ ରହିଛି ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ୍‌ । ୨୦୨୧ରେ ଇରାନ-ଚୀନ୍‌ ମଧ୍ୟରେ ୨୫ବର୍ଷ ପାଇଁ ପ୍ରତିରକ୍ଷା ଚୁକ୍ତି ହୋଇଛି । ସାମରିକ ସହାୟତା ବଦଳରେ ଚୀନକୁ ଇରାନ ଦେବ କଞ୍ଚା ତେଲ ଓ ଗ୍ୟାସ୍‌ । ସେପଟେ ଯୁଦ୍ଧକୁ ନେଇ ବେଜିଂର ପ୍ରଥମ ପ୍ରତିକ୍ରିୟା ଦେଇଛି । ଚୀନ କହିଛି, ଯେଉଁଭଳି ଭାବେ ଇରାନକୁ ଆମେରିକା ଧମକ ଦେଉଛି ଓ ବିବାଦରେ ହସ୍ତକ୍ଷେପ କରୁଛି ତାହା ଆଦୌ ଗ୍ରହଣୀୟ ନୁହେଁ । 

Advertisment

ସେପଟେ ଇରାନ ସପକ୍ଷରେ ବାହାରିଛି ଋଷ । ଯୁଦ୍ଧ ବିରାମ ପାଇଁ କ୍ରେମଲିନ ପ୍ରସ୍ତୁତ ଥିବା କହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ । ଇରାନର ସହଯୋଗୀ ରାଷ୍ଟ୍ର ଭିତରେ ଚୀନ୍, ଋଷ ଓ ଉତ୍ତର କୋରିଆ ରହିଛନ୍ତି । ଇସ୍ରାଏଲର ଆକ୍ରମଣକୁ ଋଷ ରାଷ୍ଟ୍ରପତି ପୁଟିନ୍ ସମାଲୋଚନା କରିସାରିଛନ୍ତି । ସେପଟେ ଇରାନର କ୍ଷେପଣାସ୍ତ୍ର ଓ ପରମାଣୁ କାର୍ଯ୍ୟକ୍ରମକୁ ଗୁପ୍ତରେ ଉତ୍ତର କୋରିଆ ସହାୟତା କରିଆସୁଥିବା ଅଭିଯୋଗ ହୋଇଆସିଛି । ତେବେ ଇସ୍ରାଏଲ ଓ ଇରାନ ସହ ଭାରତର ଭଲ ସମ୍ପର୍କ । ଉଭୟଙ୍କ ସହ ଦୀର୍ଘବର୍ଷର ବାଣିଜ୍ୟକ ସମ୍ପର୍କ ରଖିଛି । ତେଣୁ ଏଭଳି ସ୍ଥିତିରେ ସନ୍ତୁଳନ ରକ୍ଷା କରିବା ନିଜ ଆଭିମୁଖ୍ୟ ସ୍ପଷ୍ଟ ରଖିବାକୁ ଉଚିତ ମନେ କରିଛି ଭାରତ ।