କନକ ବ୍ୟୁରୋ : ଆଜି ସରୁଛି ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି। ଆଜି ପୁଣି ଥରେ ବସିପାରେ ଡିଜିଏମ୍ଓ ସ୍ତରୀୟ ବୈଠକ । ବୈଠକରେ ଅସ୍ତ୍ରବିରତି ସମୟ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇପାରେ । ପହଲ୍ଗାମ ଆକ୍ରମଣ ପରେ ମେ ୭ ତାରିଖ ରାତିରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା ଭାରତ । ଏଥିରେ ପିଓକେ ଏବଂ ପାକିସ୍ତାନ ମାଟିରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରାଯାଇଥିଲା। ତେବେ ପାକିସ୍ତାନ ପଟୁ ମଧ୍ୟ ଭାରତ ଉପରେ ଡ୍ରୋନ୍ ଆକ୍ରମଣ ହେବାରୁ ଭାରତ ଏହାର କଡ଼ା ଜବାବ ଦେଇଥିଲା ।
ପାକିସ୍ତାନର ଯୁଦ୍ଧ ବିମାନ ମାରି ଖସାଇବା ସହ ବିମାନ ଘାଟିକୁ ଧ୍ବଂସ କରିଥିଲା ଭାରତ । ୪ ଦିନର ଉତ୍ତେଜନା ପରେ ଯୁଦ୍ଧ ବିରାମ ପାଇଁ ଭାରତର ଡିଜିଏମଓଙ୍କୁ ଅପିଲ କରିଥିଲେ ପାକିସ୍ତାନର ଡିଜିଏମଓ । ମେ’ ୧୦ ତାରିଖରେ ପ୍ରଥମଥର ପାଇଁ ବୈଠକ ବସିଥିଲା । ୧୨ରେ ପୁଣି ଡିଜିଏମଓ ସ୍ତରରେ କଥାବାର୍ତ୍ତା ହୋଇଥିଲା । ଯୁଦ୍ଧ ବିରାମକୁ ୧୮କୁ ବୃଦ୍ଧି କରିବା ପାଇଁ ସହମତି ପ୍ରକାଶ ପାଇଥିଲା। ଆଜି ଏହି ଅବଧି ସରୁଥିବାରୁ ପୁଣି ଥରେ ଡିଜିଏମଓ ସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ସେପଟେ, ପାକିସ୍ତାନର ନୁରଖାନ୍ ଏୟାରବେସ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଭାରତ । ଏକଥା ନିଜେ ମାନିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ୍ । ଏକ କାର୍ଯ୍ୟକ୍ରମରେ ସରିଫ କହିଛନ୍ତି, ଗତ ମେ‘ ୧୦ ତାରିଖ ରାତି ୨ଟା ୩୦ରେ ସେନା ମୁଖ୍ୟ ଅସିମ୍ ମୁନୀର୍ ସିକ୍ୟୁର ଲାଇନ୍ରେ ଫୋନ୍ କରି ଭାରତର ମିସାଇଲ ଆକ୍ରମଣ ବାବଦରେ କହିଥିଲେ । ପାକିସ୍ତାନର ନୂରଖାନ୍ ଏୟାରବେସ୍ ଓ ଅନ୍ୟ ଅଞ୍ଚଳରେ ଭାରତୀୟ ସେନା ଆକ୍ରମଣ କରିଥିବା ସୂଚନା ଦେଇଥିଲେ ।
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଦର୍ଶାଉଛି, ଅପରେସନ ସିନ୍ଦୂରରେ ପାକ୍ ଉପରେ ଜୋରଦାର ଆକ୍ରମଣ କରିଥିଲା ଭାରତ । ଏହାପୂର୍ବରୁ ପାକ୍ ଏୟାରବେସ୍ ଉପରେ ଭାରତର ଆକ୍ରମଣକୁ ବାରମ୍ବାର ଫାଙ୍କି ଆସୁଥିଲା ପାକିସ୍ତାନ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗତ ୭ ତାରିଖରେ ’ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା ଭାରତୀୟ ସେନା । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡାକୁ ନଷ୍ଟ କରିଥିଲା ସେନା ।
ଭାରତୀୟ ସେନାର ଏହି ଅପରେସନ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢିଥିଲା । ସୀମାରେ ଜୋରଦାର ଗୁଳିବର୍ଷଣ ହୋଇଥିଲା । ତେବେ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯିବା ସହ ପାକ୍ର ୧୧ ଏୟାରବେସ୍କୁ ଟାର୍ଗେଟ କରାଯାଇଥିଲା । ଏଥିରେ ଭୟଭୀତ ହୋଇ ଗତ ୧୦ ତାରିଖରେ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା ପାକ୍ । ଉଭୟ ଦେଶର ଆଲୋଚନା ପରେ ଅସ୍ତ୍ରବିରତି ପାଇଁ ସହମତି ହୋଇଥିଲା ।