କନକ ବ୍ୟୁରୋ : ଭାରତ ଆସୁଛି ଆପାଚେ ହେଲିକପ୍ଟର... ଆସନ୍ତା ସପ୍ତାହରେ ଭାରତୀୟ ସେନାରେ ସାମିଲ୍ ହେବ ରାତିର ରାଜା କୁହାଯାଉଥିବା ଆପାଚେ ହେଲିକପ୍ଟର । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦିନକୁ ଦିନ ମଜଭୁତ ହେବାରେ ଲାଗିଛି । ସ୍ଥଳ ସେନା, ବାୟୁସେନା, ନୌସେନାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସାମିଲ କରାଯାଉଛି, କିନ୍ତୁ ବାୟୁସେନାକୁ ଅଧିକ ଗୁରୁତ୍ବ ଦେଉଛି ଭାରତ । ବାୟୁସେନାରେ ରାଫେଲ୍ ଭଳି ବାହୁବଳିକୁ ସାମିଲ କରି ଶକ୍ତି ବଢ଼ାଇଥିବା ବେଳେ ଏବେ ବାୟୁସେନାରେ ସାମିଲ ହେବାକୁ ଯାଉଛି ଅନ୍ଧାରର ରାଜା ଆପାଚେ ହେଲିକପ୍ଟର ।
ଆମେରିକା ନିର୍ମୀତ ଆପାଚେ ହେଲିକପ୍ଟରର ଅନେକ ଡିମାଣ୍ଡ ରହିଛି । ବର୍ତ୍ତମାନ ସୁଦ୍ଧା ୨୦ଟି ଦେଶକୁ ଏହି ଅତ୍ୟାଧୁନିକ ହେଲିକପ୍ଟର ଡେଲିଭରି କରିସାରିଛି ଆମେରିକା । ଭାରତ ବି ଏଥିରେ ପଛରେ ରହିନାହିଁ । ଚୁକ୍ତି ଅନୁସାରେ ପୂର୍ବରୁ ଅର୍ଥାତ୍ ୨୦୨୦ରେ ଭାରତକୁ ୨୨ଟି ଆପାଚେ ହେଲିକପ୍ଟର ପ୍ରଦାନ କରିସାରିଛି ଆମେରିକା । ଯାହା ଏବେ ପଠାନକୋଟ୍ ଓ ଜୋରାହାଟରେ ଆକ୍ଟିବ ରହିଛି । ଏହାରି ଭିତରେ ଆଉ ୩ଟି ଆପାଚେ ହେଲିକପ୍ଟ ଆସିବାକୁ ଯାଉଛି । ଯାହାକୁ ପାକିସ୍ତାନ ସୀମାରେ ମୁତୟନ କରାଯିବ ବୋଲି କୁହାଯାଉଛି । ୨୦୨୦ରେ ହିଁ ଆଉ ୬ଟି ହେଲିକପ୍ଟର କିଣିବା ପାଇଁ ଡିଲ୍ ହୋଇଥିଲା । ୨୦୨୪ ସୁଦ୍ଧା ଭାରତକୁ ଡେଲିଭରି ହେବାର ଥିଲା, କିନ୍ତୁ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବା ଏବଂ ଟାରିଫ୍ ନୀତି ଭିତରେ ବ୍ୟସ୍ତ ଥିବା କାରଣରୁ ଡେଲିଭରିରେ ସମାନ୍ୟ ବିଳମ୍ବ ହୋଇଥିବା କୁହାଯାଉଛି ।
ରାତିରେ ଖୋଜି ଖୋଜି ମାରିବ
ଆପାଚେ ହେଲିକପ୍ଟରରେ ନାଇଟ୍ ଭିଜନ୍ ନାଭିଗେସନ୍ ସିଷ୍ଟମ୍ ରହିଛି । ଏହାରି ମାଧ୍ୟମରେ ରାତିର ଘନ ଅନ୍ଧାରରେ ବି ଟାର୍ଗେଟକୁ ଖୋଜି ବାହାର କରିଥାଏ ଏବଂ ଆଖି ପିଛୁଳାକେ ଧ୍ବଂସ କରିଦେଇଥାଏ ଏହି ହେଲିକପ୍ଟର । ସବୁଠୁ ବଡ଼ କଥା ହେଲା ଏହି ହେଲିକପ୍ଟର କେବଳଯେ ଯୁଦ୍ଧ ସମୟରେ ବ୍ୟବହାର ହେବ ତା ନୁହେଁ । ଏହାକୁ ଉଦ୍ଧାର କାର୍ଯ୍ୟ, ସୁରକ୍ଷା ଏବଂ ଶାନ୍ତା ଅପରେସନ୍ରେ ବି ବ୍ୟବହାର କରାଯାଇ ପାରିବ ।