କନକ ବ୍ୟୁରୋ:  ଧନ ସମ୍ପତ୍ତି କିମ୍ବା ରାଜ୍ୟ ପାଇଁ ଯୁଦ୍ଧ ହେଉଥିବା କଥା ଆପଣ ଶୁଣିଥିବେ । ହେଲେ କୌଣସି ଫଳ ପାଇଁ ଯୁଦ୍ଧ ହେବା କଥା ଶୁଣିଛନ୍ତି? ଗପ ଭଳି ଲାଗୁଥିଲେ ବି ଏହା ସତ । ଇତିହାସର ପୃଷ୍ଠାରେ ଲିଖିତ ହୋଇ ରହିଛି ଏହି ଭଭୟର ଘଟଣାର କାହାଣୀ । ଆଜକୁ ପ୍ରାୟ ୩୭୫ ବର୍ଷ ତଳେ ଏକ ଅଦ୍ଭୁତ କାରଣକୁ ନେଇ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧର କାରଣ ଥିଲା ଏକ ତରଭୁଜ। ଯୁଦ୍ଧ ଏତେ ଭୟଙ୍କର ଥିଲା ଯେ ଏଥିରେ ହଜାର ହଜାର ସୈନିକ ପ୍ରାଣ ହରାଇଥିଲେ।

Advertisment

ଏହା ଦୁନିଆର ଏକମାତ୍ର ଲଢ଼େଇ ଯାହା କୌଣସି ଫଳ ପାଇଁ ହୋଇଥିଲା। ଇତିହାସରେ ଏହି ଯୁଦ୍ଧକୁ ‘ମତିରେ କା ରାଡ’ ନାମରେ ନାମିତ କରାଯାଇଥିଲା। ରାଜସ୍ଥାନର କେତେକ ସ୍ଥାନରେ ତରଭୁଜକୁ ମତୀରା କୁହାଯାଉଥିବା ବେଳେ ରାଡର ଅର୍ଥ ଝଗଡ଼ା। ଏଣୁ ଏହି ଯୁଦ୍ଧର ଏଭଳି ନାମକରଣ କରାଯାଇଛି।

‘ମତୀରେ କା ରାଡ଼’ ନାମକ ଏହି ଯୁଦ୍ଧ ୧୬୪୪ ମସିହାରେ ହୋଇଥିଲା। ସେତେବେଳେ ବିକାନେରର ସିଲବା ଗାଁ ଓ ନାଗୌରର ଜାଖଣିୟା ଗାଁ ପରସ୍ପରର ଶତ୍ରୁ ଥିଲେ। ଏହି ଦୁଇ ଗାଁ ମଧ୍ୟରେ ପାଚେରୀ ଠିଆ ହୋଇଥିଲା। ଥରେ ଏକ ତରଭୁଜ ଗଛ ବିକାନେର ସୀମାରେ ଉଠିଥିଲା। କିନ୍ତୁ ଏହାର ଫଳ ନାଗୌର ସୀମାକୁ ଚାଲିଯାଇଥିଲା। ତରଭୁଜ ଗଛର ମୂଳ ବିକାନେରରେ ଥିବାରୁ ସେମାନେ ତରଭୁଜକୁ ନିଜର ବୋଲି କହିଥିଲେ। ଅନ୍ୟପଟେ ତରଭୁଜ ନିଜ ପଟେ ହୋଇଥିବାରୁ ନାଗୌର ଲୋକମାନେ ତରଭୁଜକୁ ନିଜର ବୋଲି ଦାବି କହିଥିଲେ। ଫଳରେ ଝଗଡ଼ାର ସୂତ୍ରପାତ ହୋଇଥିଲା। ଏହି ଝଗଡ଼ା କ୍ରମଶଃ ଉଗ୍ରରୂପ ଧାରଣ କରିଥିଲା।

କୁହାଯାଏ ଯେ ଏହି ଅଦ୍ଭୁତ ଯୁଦ୍ଧରେ ବିକାନେର ସେନାର ନେତୃତ୍ୱ ରାମଚନ୍ଦ୍ର ମୁଖିଆ ନେଇଥିବା ବେଳେ ନାଗୌରର ନେତୃତ୍ୱ ସିଙ୍ଘବୀ ସୁଖମଉ ନେଇଥିଲେ। ଏହି ଯୁଦ୍ଧରେ ନାଗୌରମାନେ ପରାଜୟ ବରଣ କରିଥିଲେ ମଧ୍ୟ ଉଭୟ ପଟର ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲା।

ବିଶ୍ୱ ଇତିହାସରେ ମଧ୍ୟ ଏପରି ଘଟଣା ଘଟିଛି । ୧୮୫୬ ଏପ୍ରିଲ ୧୫ ତାରିଖରେ ସନ୍ଧ୍ୟାରେ ପାନାମା ସିଟିରେ ଘଟିଥିଲା ଏପରି ଘଟଣା । ଜଣେ ଆମେରିକୀୟ ଜଣେ ରାସ୍ତା ବିକ୍ରେତାଙ୍କଠାରୁ ତରଭୁଜର ଏକ ଖଣ୍ଡ ନେବା ପରେ ଏବଂ ଏଥିପାଇଁ ଦେୟ ଦେବାକୁ ମନା କରିବା ପରେ, ଏକ ମୌଖିକ ବିବାଦ ଆରମ୍ଭ ହେଲା ଏହି କଥାକୁ ନେଇ କଥା ଏତେବାଟ ଯାଇଥିଲାଯେ ଗୁଳିମାଡ ହୋଇଥିଲା । ଏହି ଘଟଣାକୁ ନେଇ ଆମେରିକୀୟ ଓ ପାନାମା ବିଦ୍ରେହୀଙ୍କ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ପନ୍ଦର ଜଣ ଆମେରିକୀୟ ଏବଂ ଦୁଇ ଜଣ ପାନାମାନିଆବାସୀଙ୍କୁ ହତ୍ୟା କରାଯାଇଥିଲା। ଏହାସହ ଅନେକ ସ୍ଥାନରେ ବ୍ୟାପ କ୍ଷୟକ୍ଷତି ହୋଇଥିଲା ବୋଲି ଉଲ୍ଲେଖ ରହିଛି ।