ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା: ଚାଲିପାରିଲାନି ଗୃହକାର୍ଯ୍ୟ, ଦିନ ୪ଟା ଯାଏଁ ମୁଲତବୀ

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ କାର୍ଯ୍ୟକାନୁଷ୍ଠାନ ଦାବି କଲା ବିଜେଡ଼ି । ମଣ୍ଡି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ

62

କନକ ବ୍ୟୁରୋ: ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ପୁଣି ହଙ୍ଗାମା କରିଛନ୍ତି । ଫଳରେ ଆଜି ବି ଚାଲିପାରିଲାନି ଗୃହକାର୍ଯ୍ୟ । ତେବେ ଦିନ ସାଢେ ୧୧ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ଗୃହରେ ହଙ୍ଗାମା କରିଥିଲେ ଉଭୟ ଶାସକ ଓ ବିରୋଧୀ । ଫଳରେ ଅପରାହ୍ନ ୪ଟାଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ପ୍ରଥମ ଥର ପାଇଁ ଶାସକ ଦଳର ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଙ୍ଗାମା କରିଛନ୍ତି । ଗତକାଲି ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଦେବଗଡ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ବିଜେଡି ବିଧାୟକମାନେ ପ୍ରଥମେ ନିଜ ନିଜ ଆସନରେ ବସି ପାଟିତୁଣ୍ଡ କରିଥିଲେ । ଏହାପରେ ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ହଙ୍ଗାମା କରିଛନ୍ତି । ବିରୋଧୀ ଦଳର ସଦସ୍ୟଙ୍କ ଏଭଳି ଆଚରଣ ଗୃହର ମର୍ଯ୍ୟାଦା ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି ଶାସକ ଦଳର ସଭ୍ୟ ।

ସେପଟେ ପୁଣି ମଣ୍ଡି ଓ ଚାଷୀ ପ୍ରସଙ୍ଗ ଉଠାଇ ବିଜେପି ଓ କଂଗ୍ରେସ ସଦସ୍ୟ ମଧ୍ୟ ଗୃହ ଭିତରେ ପ୍ରବଳ ପାଟିତୁଣ୍ଡ କରିଥିଲେ । ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଫଳରେ ଗୃହ କାର୍ଯ୍ୟ ଚାଲିପାରିନଥିଲା ।