ଆଫଗାନିସ୍ତାନର ପଞ୍ଚଶୀରରେ ପଶିଲା ତାଲିବାନ, ଅହମ୍ମଦ ଶାହା ମସୁଦଙ୍କ ଯୋଦ୍ଧାମାନେ ଦେଉଛନ୍ତି ଟକ୍କର

339

କନକ ବ୍ୟୁରୋ : ଏବେ ତାଲିବାନ ଆଫଗାନିସ୍ତାନର ପାଖା ପାଖି ସମସ୍ତ ଅଞ୍ଚଳ ଦଖଲ କରିସାରିଛି । ମାତ୍ର ପଞ୍ଚଶୀର ଘାଟିକୁ ଏପର୍ଯ୍ୟନ୍ତ ଦଖଲ କରିପାରି ନାହିଁ ତାଲିବାନ । ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ପଞ୍ଚଶୀର ଘାଟି ଦଖଲ କରିବାକୁ ଏବେ ତାଲିବାନୀମାନେ ସେଠାରେ ପହଂଚିଛନ୍ତି । ହେଲେ ସେଠାରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଶାହା ମସୁଦଙ୍କ ଯୋଦ୍ଧାମାନେ ଘାଟିକୁ ତାଲିବାନ ହାତକୁ ନଦେବାକୁ ନିଷ୍ପତ୍ତି କରି ଜଗି ବସିଛନ୍ତି । ତାଲିବାନୀମାନେ ସେଠାରେ ପହଂଚିବା ପରେ ମସୁଦଙ୍କ ଯୋଦ୍ଧାମାନେ ତାଙ୍କୁ କଡା ଟକ୍କର ଦେଉଥିବା ଜଣାପଡିଛି   ।

ଏହା ପୂର୍ବରୁ ଅଲଜଜୀରା ଦାବି କରିଥିଲା କି ମସୁଦଙ୍କ ପୁଅ ତାଲିବାନୀଙ୍କ ସହ ହାତ ମିଳାଇଛନ୍ତି । ହେଲେ ଏବେର ସୂଚନା ମୁତାବକ ତାଲିବାନୀ ଯୋଦ୍ଧାଙ୍କ ସହ ମସୁଦ ଯୋଦ୍ଧାଙ୍କ ଘମାଘୋଟ ଲଢେଇ ଆରମ୍ଭ ହୋଇଛି । କହିରଖୁ କି କିଛିଦିନ ଆଗରୁ ମସୁଦ କହିଥିଲେ କି କୌଣସି ପରିସ୍ଥିତିରେ ତାଲିବାନକୁ ପଞ୍ଚଶୀର ଘାଟି ଦଖଲ କରିବାକୁ ଦିଆଯିବ ନାହିଁ ।

ବଗଲାନ ଅଞ୍ଚଳରେ ୩ ଟି ଜିଲ୍ଲାକୁ ଦଖଲ ନକରିପାରି ଫେରିଥିବା ତାଲିବାନୀମାନେ ପୁଣିଥିରେ ସେହି ଅଞ୍ଚଳକୁ ଦଖଲ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଅନ୍ୟପଟେ ଏୟାରପୋର୍ଟରେ ଆଫଗାନିସ୍ତାନ ନାଗରିକଙ୍କ ଭିଡ ଦେଖି ତାଲିବାନୀମାନେ ଗୁଳି ଚଳାଇଛନ୍ତି । ଏହାପରେ ସେଠାରେ ଦଳା ଚକଟା ହୋଇ ୭ ଜଣ ଲୋକ ପ୍ରାଣ ହରାଇଥିବା ନେଇ ବ୍ରିଟେନ ସେନା ପକ୍ଷରୁ ସୂଚନା ଦିଆଯାଇଛି ।