କନକ ବ୍ୟୁରୋ: ଲମ୍ବା ଦାଢି, ମୁଣ୍ଡରେ ଜଟା, ଦେହରେ ଗେରୁଆ, ପୁରା ଜଣେ ସାଧୁ । ହେଲେ ଏ ସାଧୁ ବେଶ ପଛରେ ଲୁଚିଥିଲା ଜଣେ ୱାଣ୍ଟେଡ୍ ଅପରାଧୀ । ପୁରୁଣା ମାମଲାର ଦାଗିଙ୍କୁ ଖୋଜୁ ଖୋଜୁ ୨୩ ବର୍ଷ ପରେ ଏହି ଅପରାଧୀଙ୍କୁ ମାଡି ବସିଲା ପୁଲିସ । ହେଲେ ସାଧୁବେଶଧାରୀ ଅପରାଧୀକୁ ଧରିବାକୁ ପୁଲିସକୁ ବି ଅନେକ କସରତ୍୍ କରିବାକୁ ପଡିଥିଲା ।

Advertisment

ପୁରା ଘଟଣା କ’ଣ?

ପୁଲିସର ତଥ୍ୟ ମୁତାବକ, ଅପରାଧୀ ଜଣକ ହେଉଛୀ ରାକେଶ ପଣ୍ଡା । ସେ ଓଡିଶାର ଗଞ୍ଜାମ ଜିଲ୍ଲା ବାସିନ୍ଦା । ହେଲେ କାମ ସନ୍ଧାନରେ ସୁରତ ଆସି ସେଠିକାର ଶାନ୍ତିନଗର ସୋସାଇଟିରେ ଭଡାରେ ରହୁଥିଲା । ସେଠାରେ ତାର ପାଖ ଘରେ ରହୁଥିବା ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଘନିଷ୍ଠ ହୋଇଥିଲା । ହେଲେ ଶାନ୍ତିଦାସ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ମହିଳାଙ୍କ ଘରକୁ ଅନେକ ସମୟରେ ଯିବା ଆସିବା କରୁଥିଲା । ଏହାକୁ ପସନ୍ଦ କରୁନଥିଲା ରାକେଶ ପଣ୍ଡା । ତେଣୁ ନିଜ ବନ୍ଧୁ ମାନଙ୍କ ସହ ମିଶି ଶାନ୍ତିଦାସକୁ ପ୍ରଥମେ ଅପହରଣ କରିନେଇ ତଣ୍ଟି ଚିପି ହତ୍ୟା କରିଥିଲା । ଏହାପରେ ମୃତଦେହକୁ ନାଳରେ ଭସାଇଦେଇ ଫେରାର ହୋଇଯାଇଥିଲା । ଏହି ଘଟିଥିଲା ୨୦୦୧ ରେ । ଘଟଣାକୁ ୨୩ ବର୍ଷ ହେଲାଣି ।

ହତ୍ୟା ପରେ ହତ୍ୟାକାରୀ ରାକେଶ ମଥୁରା ପଳାଇଥିଲା । ସେଠାରେ ବେଶ ବଦଳାଇ ଏକ ଆଶ୍ରମରେ ସାଧୁ ଭାବେ ରହିଆସୁଥିଲା । ହେଲେ ଏହା ମଧ୍ୟରେ ପୁରୁଣା ଅପରାଧର ଫାଇଲ ଖୋଲିଥିଲା ପୁଲିସ । ସବୁ ଅପରାଧୀଙ୍କ ତାଲିକା ବନାଇ ସେମାନଙ୍କୁ ଗିରଫ କରିବାକୁ ଅଭିଯାନ ଆରମ୍ଭ କରିଥିଲା । ଏହା ଭିତରେ ଥିଲା ରାକେଶ ପଣ୍ଡାର ନାଁ । ସେମାନଙ୍କୁ ଧରିବାକୁ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ରାକେଶ ଉପରେ ମଧ୍ୟ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ରାକେଶକୁ ଧରିବାକୁ ପୁଲିସକୁ ବି ଭାରି କସରତ୍ କରିବାକୁ ପଡିଛି । ଛଦ୍ମ ବେଶ ଧରିଥିବା ରାକେଶକୁ ଧରିବାକୁ ପୁଲିସକୁ ବି କେବେ ସାଧୁ କେବେ ଶ୍ରଦ୍ଧାଳୁଙ୍କ ବେଶ ଧରିବାକୁ ପଡିଛି । ଶେଷରେ ପୁଲିସ ହାତରେ ଧରାପଡିଛି ହତ୍ୟାକାରି ରାକେଶ ପଣ୍ଡା ।